ଆବାସ କଳି ନେଇ ଆଜି ୩୧୪ ବ୍ଲକ ଘେରାଉ କରିବ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯିବ ଅଭିଯୋଗ ପତ୍ର , ବିଜେଡି ରଖିଲା କଡ଼ା ଜବାବ

109

କନକ ବ୍ୟୁରୋ: ବଢ଼ି ବଢ଼ି ଚାଲିଛି ଆବାସ କଳି । ଗୋଟିଏ ପଟେ ଆବାସ ଯୋଜନାରେ ୯ଲକ୍ଷରୁ ଅଧିକ ଲୋକଙ୍କ ତାଲିକା ପ୍ରକାଶ ପାଇଛି । ଅନ୍ୟପଟେ ଘର ପାଇବାକୁ ଯୋଗ୍ୟ ହୋଇଥିଲେ ବି ତାଲିକାରେ ନାଁ ନଥିବା ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯାହାକୁ ନେଇ ଗାଁ ଗାଁରେ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏସବୁ ଭିତରେ, ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେପି ।

ଦଳ ପକ୍ଷରୁ କୁହାଯାଇଛି, ପ୍ରାୟ ୨ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ନାଁ ସରକାର ଚଂଚକତା କରି କାଟି ଦେଇଛନ୍ତି । ଅଯୋଗ୍ୟ ଲୋକଙ୍କର ଗାଁରେ ପ୍ରତିପତି ରହିଛି ତାଙ୍କ ନାଁରେ ସାଧାରଣ ଲୋକ ଅଭିଯୋଗ କରିବାକୁ ଡରୁଛନ୍ତି । ଅଯୋଗ୍ୟ ଲୋକଙ୍କୁ ବାହାର କରିବା ଦାୟିତ୍ୱ ସରକାରଙ୍କର, ଲୋକଙ୍କର ନୁହେଁ । ତେଣୁ ସରକାର ନିଜେ ଦାୟିତ୍ୱ ନିଅନ୍ତୁ । ତାଲିକାରେ ଅନିୟମିତତା ନେଇ ଆଜି ୩୧୪ ବ୍ଲକରେ ଘେରାଉ କରିବ ବିଜେପି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦଳ ଦାବି ପତ୍ର ଦେବ ।

ଯଦି ସମସ୍ୟାର ସମାଧାନ ନହୁଏ ତେବେ ୭ଦିନ ପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଘେରାଉ କରାଯିବ ବୋଲି କହିଛି ବିଜେପି । ସେପଟେ ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଉପଯୁକ୍ତ ଭାବେ ତାଲିକା ଚୟନ କରାଯାଉଛି । ଯେଉଁ ଅଭିଯୋଗ ଆସୁଛି ବୃଥା ଓ ଭୁଲ କଥା । ଯେଉଁମାନେ ଅଭିଯୋଗ କରୁଛନ୍ତି, ପ୍ରମାଣ ଦିଅନ୍ତୁ ।