ଜଗନ ବନିବେ ବନ୍ଧୁ! ଆନ୍ଧ୍ରରେ ଏଣ୍ଟ୍ରି ପାଇଁ ବିଜେପିର ପଦ ପଲିଟିକ୍ସ, ୱାଇଏସଆର କଂଗ୍ରେସକୁ ଯାଇପାରେ ଉପ-ବାଚସ୍ପତି ଆସନ?

356

କନକ ବ୍ୟୁରୋ : ବିଜେଡି ନା’ ୱାଇଏସଆର୍ କଂଗ୍ରେସ? କେଉଁ ଦଳର ସାଂସଦଙ୍କୁ ମିଳିବ ଲୋକସଭାର ଉପବାଚସ୍ପତି ପଦ । ବିଜେଡି ସାଂସଦଙ୍କୁ ନେଇ ଚର୍ଚ୍ଚା ଓ ଶିବସେନାର ଆପତି ଭିତରେ ଜଗନ ମୋହନଙ୍କ ଅବିର୍ଭାବ । ଏହି ପ୍ରସଙ୍ଗରେ ଜଗନ ମୋହନ ରେଡ୍ଡୀଙ୍କୁ ବିଜେପି ଅଫର ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହୁଏତ, ସଂଖ୍ୟା ଦୃଷ୍ଟିରୁ ୱାଇଏସଆର୍ କଂଗ୍ରେସକୁ ମିଳିପାରେ ଉପ-ବାଚସ୍ପତି ପଦ । କାରଣ, ଏହି ବାଟ ଦେଇ ଆନ୍ଧ୍ରରେ ପଦ୍ମ ଫୁଟାଇବାକୁ ଉଦ୍ୟମ କରିପାରେ ବିଜେପି ।

ଲୋକସଭା ଉପବାଚସ୍ପତି ପଦ ବିଜେଡିକୁ ମିଳିବା ଆଶା ମଉଳି ଯାଇଛି । କାରଣ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଏହି ପଦବୀ ଜଗନ ମୋହନଙ୍କ ୱାଇଏସଆର କଂଗ୍ରେସକୁ ଦେବା ନେଇ ବିଚାର କରୁଛନ୍ତି ମୋଦି ସରକାର । ସଂଖ୍ୟା ଦୃଷ୍ଟିରୁ ଲୋକସଭାରେ ଚତୁର୍ଥ ସର୍ବବୃହତ ଦଳ ୱାଇଏସଆରସିପିକୁ ଏହି ସମ୍ମାନଜନକ ପଦବୀ ପାଇଁ ପ୍ରବଳ ଦାବିଦାର ମନେ କରାଯାଉଛି । କିଛିଦିନ ତଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନମୋହନଙ୍କୁ ସାକ୍ଷାତ କରିଥିଲେ ବିଜେପି ମୁଖପାତ୍ର ଜିଭିଏଲ ନରସିଂହା ରାଓ । ବିଜୟୱାଡାରେ ଦୁଇ ନେତାଙ୍କ ଭିତରେ ଭେଟଘାଟ୍ ସମୟରେ ମୋଦି ସରକାରଙ୍କ ଏହି ପ୍ରସ୍ତାବ ଦିଆଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

୧୭ ତମ ଲୋକସଭାରେ କଂଗ୍ରେସ, ଡିଏମକେ ଏବଂ ଟିଏମସି ପରେ ଚତୁର୍ଥ ସର୍ବବୃହତ ଦଳ ଭାବେ ୱାଇଏସଆରସିପି ଏହି ପଦପାଇଁ ଦାବିଦାର ପାଲଟିଛି । ନିର୍ବାଚନ ସମୟରେ ଅଣବିଜେପି ମେଂଟରେ ଜଗନମୋହନଙ୍କ ଦଳ ନଥିଲା । ସଂସଦର ମୌସୁମୀ ଅଧିବେସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ସଂସଦର ଉଭୟ ଗୃହରେ ପାସ କରାଇବାକୁ ଚାହୁଁଛନ୍ତି ମୋଦି ସରକାର । ଆଉ ରାଜ୍ୟସଭାରେ ଜଗନଙ୍କ ସମର୍ଥନ ଆଶାରେ ୱାଇଏସଆରସିପିକୁ ଏହି ଆସନ ଛାଡିଦେବାକୁ ଚିନ୍ତା କରୁଛନ୍ତି ମୋଦି ।

କିଛିଦିନ ତଳେ ବିଜେଡିକୁ ଲୋକସଭା ଉପବାଚସ୍ପତି ପଦ ମିିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ବରିଷ୍ଠ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ନାଁକୁ ନେଇ ଆଲୋଚନା ଚାଲିଥିବାବେଳେ ଆପତି କରିଥିଲା ଏନଡିଏର ମେଂଟ ସହଯୋଗୀ ଶିବସେନା । ବିଜେପି ନେତୃତ୍ୱାଧିନ ଏନଡିଏରେ ୧୮ଟି ଲୋକସଭା ଆସନ ଜିତିଥିବା ସହ ସବଠୁ ବଡ ସହଯୋଗୀ ଦଳ ଭାବେ ଉଭା ହୋଇଛି ଶିବସେନା । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଶିବସେନାକୁ ସଂଖ୍ୟା ଅନୁସାରେ ଅଧିକ ମନ୍ତ୍ରୀପଦ ଏବଂ ଭଲ ପୋଟଫୋଲିଓ ଦେବା ପାଇଁ ଦାବି କରିଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏପଟେ ବିଜେଡିକୁ ନେଇ ଚର୍ଚ୍ଚା ପରେ ଲୋକସଭା ଉପବାଚସ୍ପତି ପଦ ଶିବସେନାକୁ ମିଳିବା ଉଚିତ୍ ଓ ଏହା ତାର ଅଧିକାର ବୋଲି ପ୍ରତିକ୍ରିୟା ରଖିଥିଲେ ଶିବସେନା ସଂସଦୀୟ ଦଳ ନେତା ସଂଜୟ ରାଉତ୍ ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଟିଥିଲେ ଜଗନ ମୋହନ ରେଡ୍ଡି । ଏହି ୪୬ ବର୍ଷୀୟ ନେତାଙ୍କ ଭିତରେ ବିଜେପି ଜଣେ ଭଲ ବନ୍ଧୁଙ୍କୁ ଖୋଜି ପାଇଛି । ରାଷ୍ଟ୍ରପତି ନିର୍ବାଚନ ସମୟରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲା ୱାଇଏସଆର କଂଗ୍ରେସ । ଏବେ ରାଜ୍ୟସଭାରେ ସମର୍ଥନ ଆଶା କରି ଲୋକସଭା ଉପବାଚସ୍ପତି ପଦ ଦେବା ପାଇଁ ବିଚାର କରୁଛି ବିଜେପି ।