ତୃଣମୂଳ କଂଗ୍ରେସ ନେତାଙ୍କ ଅଭିଯୋଗ । ଭଡାରେ ଲୋକ ଆଣି ପଶ୍ଚିମବଙ୍ଗରେ ହିଂସା କରୁଛି ବିଜେପି । ଆବଶ୍ୟକ ପଡିଲେ କରିପାରେ ମମତାଙ୍କୁ ହତ୍ୟା

404

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ଅନୁଷ୍ଠିତ ହେବ । ହେଲେ ନିର୍ବାଚନ ପୂର୍ବରେ ରାଜ୍ୟରେ ଯେଭଳି ହିଂସାର ବାତାବରଣ ଦେଖା ଦେଇଛି ତାହାକୁ ନେଇ କେହି ବି ଅନୁମାନ କରିପାରେ ନିର୍ବାଚନ ତାରିଖ ଘୋଷଣା ସରିଲେ ଏଠାରେ ସ୍ଥିତି କିଭଳି ରହିବ    । ବିଶେଷ କରି ବାମଦଳର ଆସନ କମିବା ପରେ ସେଠାରେ ରାଜ୍ ଚଳାଇଛନ୍ତି ତଥା କଥିତ ଦିଦି ବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ଶାସନ କାଳରେ ପ୍ରଥମେ ବାମପନ୍ଥୀ ନେତାଙ୍କ ଉପରେ ଆକ୍ରମଣ ୨୦୧୧ ରୁ ଆରମ୍ଭ ହୋଇଥିଲା । ମାତ୍ର ୨୦୧୬ ରେ ବାମଦଳର କ୍ଷମତା ବା ଆସନ କମିବା ପରେ ସେଠାରେ ବିଜେପି ମୁଣ୍ଡ ଟେକିଛି । ହେଲେ ଏବେ ମମତାଙ୍କ ଆକ୍ରୋସ ବାମ ଦଳ ଉପରୁ ହଟି ବିଜେପି ଉପରେ ପଡିଛି । କିଛିଦିନ ହେବ ତୃଣମୂଳ କଂଗ୍ରେସ କର୍ମୀଙ୍କ ଉପରେ ବିଜେପି କର୍ମୀ ମାନେ ଆକ୍ରମଣ ଓ ହତ୍ୟା କରୁଥିବା ମମତା ଅଭିଯୋଗ କରୁଥିବା ବେଳେ ବିଜେପି ନେତା ଓ କର୍ମୀଙ୍କ ହତ୍ୟା ପାଇଁ ମମତା ଦାୟୀ ବୋଲି ବିଜେପି ଅଭିଯୋଗ କରୁଛି । ଏହାରି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗକୁ ୨ ଦିିନିଆ ଗସ୍ତରେ ଯାଇଥିବା ବେଳେ ଦୁଇ ଦିନ ଯାକ ତାଙ୍କ ରାଲି ଉପରେ ଆକ୍ରମଣ ହୋଇଛି । ଏନେଇ ବିଜେପି ନେତାମାନେ ଥାନାରେ ଅଭିଯୋଗ କରିବା ସହ କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହାକୁ ନିନ୍ଦା କରିଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ଏନେଇ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ନୋଟିସ କରିଥିଲା । ଏହା ସହ ଜେପି ନଡ୍ଡାଙ୍କ ରାଲି ଉପରକୁ ଆକ୍ରମଣ ମାମଲାରେ ଦାୟିତ୍ୱରେ ଥିବା ୩ ଜଣ ଆଇପିଏସ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ଚିିଠି କରିଥିବା ବେଳେ ମମତା ବାନାର୍ଜୀ ସେମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ ମନା କରିଦେଇଛନ୍ତି ।
ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସ ନେତା ସୁବ୍ରତ ମୁଖାର୍ଜୀ ବିଜେପି ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଆସନ୍ତା ନିର୍ବାଚନରେ ଯଦି ବିଜେପି ପଶ୍ଚିମବଙ୍ଗ ଦଖଲ କରିବାରେ ବିଫଳ ହୁଏ ତେବେ ସେମାନେ ମମତା ବାନାର୍ଜୀଙ୍କୁ ହତ୍ୟା କରିପାରନ୍ତି । ସେ ଆହୁରି କହିଛନ୍ତି କି ଅପରାଧ ଘଟାଇବାକୁ ଗୈରିକ ଦଳ ଲୋକଙ୍କୁ ଭଡାରେ ଆଣି ଅନ୍ୟ ମୁଣ୍ଡରେ ଦୋଷ ଲଦୁଛି । ଯଦି ବିଜେପି ମମତାଙ୍କର କୌଣସି କ୍ଷତି କରିବାକୁ ଉଦ୍ୟମ କରେ ତେବେ ଆମେ ରକ୍ତ ଦେଇ ତାକୁ ରୋକିବୁ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ଥିବା ଶ୍ରୀ ମୁଖାର୍ଜୀ କହିଛନ୍ତି । ଅନ୍ୟପଟେ ବିଜେପି ନେତା ଜେ.ପି ନଡ୍ଡାଙ୍କ ଉପରେ ଆକ୍ରମଣ ତାଙ୍କ ଦଳ ହିଁ ଲୋକମାନଙ୍କୁ ନିୟୋଜିତ କରିଥିବା କଥା ଶ୍ରୀ ମୁଖାର୍ଜୀ କହିଛନ୍ତି ।