କନକ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ନିର୍ବାଚନରେ ବିଜେପିର ବିଜୟ ପଛରେ ମହିଳା ଭୋଟରଙ୍କ ସମର୍ଥନକୁ ଶ୍ରେୟ ଦିଆଯାଉଛି । ଏହା ପରେ ରାଜ୍ୟରେ ମହିଳା ଭୋଟ ଉପରେ ରାଜ୍ୟ ବିଜେପି ।ଖି ପକାଇଛି । ଏଥିପାଇଁ ଦଳ ବ୍ଲୁ -ପ୍ରିଂଟ ପ୍ରସ୍ତୁତ କରିଛି । ଆଗାମୀ ମାସରେ ଲକ୍ଷାଧିକ ମହିଳାଙ୍କୁ ନେଇ ବିଜେପି କରିବ ସ୍କୁଟି ରାଲି ।

Advertisment

ବିଜେଡିର ୭୦ ଲକ୍ଷ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଭୋଟ ବ୍ୟାଙ୍କ ଉପରେ ଏବେ ବିଜେପିର ଆଖି । ୨୦୧୯ ନିର୍ବାଚନରେ ଏକ ପ୍ରମୁଖ ଭୂମିକା ନେଇଥିବା ମହିଳା ଭୋଟ ବ୍ୟାଙ୍କକୁ ବିଜେପି ହାତେଇବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି । ଆଗାମୀ ମାସରେ ଲକ୍ଷାଧିକ ମହିଳାଙ୍କୁ ନେଇ ବିଜେପି ସ୍କୁଟି ରାଲି କରିବାକୁ ଯୋଜନା କରୁଛି । ପ୍ରତି ମଣ୍ଡଳ ସ୍ତରରେ ଏହି ର୍ୟାଲି ଆୟୋଜିତ କରିବ ବିଜେପି ଏବଂ ପ୍ରତି ମହିଳାଙ୍କୁ ଛୁଇଁବାକୁ ଯୋଜନା କରୁଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଏନେଇ ବିଜେପି ମହିଳା ମୋର୍ଚ୍ଚାର ବର୍ଦ୍ଧିତ କାର୍ଯ୍ୟକାରିଣୀରେ ନିଷ୍ପତି ନିଆଯାଇଛି ।

ନାରୀ ସଶକ୍ତିକରଣ ପାଇଁ ମୋଦୀ ସରକାର ନେଇଥିବା ଏକାଧିକ ପଦକ୍ଷେପ ଓ ଯୋଜନାକୁ ମହିଳାଙ୍କ ପାଖରେ ପହଂଚାଇବାଇବାକୁ ରଣନୀତି କରିଛି ବିଜେପି ମହିଳା ମୋର୍ଚ୍ଚା । ରଣନୀତି ଅନୁସାରେ, ଏସଏଚଜି ପାଉଥିବା ଟଙ୍କା, କେନ୍ଦ୍ର ସରକାର ଦେଉଥିବା ନେଇ ଲୋକଙ୍କୁ ଅବଗତ କରାଇବ । ଏନସିଆରବି ରିପୋର୍ଟର ସତ୍ୟତା ଲୋକଙ୍କ ଆଗରେ ରଖିବ । ମହିଳା ଜନ୍ମହାର କମିବ ଏବଂ ମହିଳାଙ୍କ ବିରୋଧରେ ହେଉଥିବା ଅନ୍ୟାୟ ନେଇ ଆନ୍ଦୋଳନ କରିବ ବିଜେପି । ଏହାସହ ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଦେଶରେ ମହିଳା ଅତ୍ୟାଚାରରେ ଓଡିଶା ଏକ ନମ୍ବର । ମହିଳା ଅତ୍ୟାଚାରରେ ଓଡିଶା ସମସ୍ତଙ୍କ ମୁଣ୍ଡକୁ ତଳକୁ କରୁଛି । ସାରା ଦେଶରେ ଓଡିଶା ଆଜି ନିନ୍ଦିତ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ସେପଟେ ବିଜେଡି କହିଛି ମହିଳା ସଶକ୍ତିକରଣରେ ଓଡିଶା ଅଗ୍ରଣୀ । ୭୦ ଲକ୍ଷ ମହିଳଙ୍କୁ ଏସଏଚଜି ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ୨୦୨୪ ନିର୍ବାଚନରେ ଯୁବ ଏବଂ ମହିଳାଙ୍କ ଭୋଟ ନିର୍ଣ୍ଣାୟକ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି । ବିଜେଡି ହାତରେ ସ୍ୱୟଂ ସହାୟକ ଗୋଷ୍ଠୀ ରୁପେ ଏକ ବଡ ଭୋଟ ବ୍ୟାଙ୍କ ରହିଛି । ବିଜେପି ଏହାକୁ ହାତେଇବାକୁ ଯୋଜନା ଆରମ୍ଭ କରିଥିବାବେଳେ ଏହି ଭୋଟ କେଉଁ ଦଳକୁ ଯାଉଛି, ତା ଉପରେ ସମସ୍ତଙ୍କ ନଜର ରହିବ ।