କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଉଠିଥିବା ବିବାଦ ଏବେ ନୂଆ ମୋଡ ନେଇଛି । ଲୋୟର ପିଏମଜିରେ ବିଜେପିର ଆନ୍ଦୋଳନବେଳେ ହୋଇଥିବା ଖଣ୍ଡଯୁଦ୍ଧରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧର ଦଳ ଦେଇଥିବା ଏତଲା ପୁଲିସ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ରାଜ୍ୟର ସବୁ ଥାନାରେ ଏତଲା ଦେବାକୁ ଭାରତୀୟ ଜନତା ପାର୍ଟି ଚେତାବନୀ ଦେଇଛି ।

Advertisment

ପୋଲିସ ଡିଜି, ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୁଦ୍ଧରେ ଏଫଆଇଆର ଦେବ ଦଳ । ସେହିପରି ଆସନ୍ତାକାଲି ରାଜ୍ୟର ସମସ୍ତ ଏସପି ଅଫିସ ଆଗରେ ବିଜେପି ଯୁବ ମୋର୍ଚ୍ଚା କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଉ ଯଦି ଏଫଆଇଆର ଥାନାରେ ଗ୍ରହଣ କରାନଯାଏ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛି ଭାରତୀୟ ଜନତା ପାର୍ଟି ।

ଓଡିଶାରେ ପୁଲିସର ଅମନଯୋଗିତା, ଅସହାୟ ଓ ଅକ୍ଷମତା କାରଣରୁ ଅନେକ ମାମଲା ଥାନାରେ ରୁଜୁ ହୋଇପାରୁନାହିଁ । ଏହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ରାଜଧାନୀରେ ଦେଖିବାକୁ ମିଳିଛି । ପୁଲିସ ଆକ୍ରମଣରେ ଯୁବମୋର୍ଚ୍ଚାର ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଅମାନୁଷିକ ଆକ୍ରମଣକୁ ବିରୋଧ କରି ସଂପୃକ୍ତ ଥିବା ସମସ୍ତ ପୁଲିସ ଅଧିକାରୀ, ସାଧା ପୋଷାକରେ ଥିବା ବିଜେଡି ଗୁଣ୍ଡାଙ୍କ ବିରୋଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ କ୍ୟାପିଟାଲ ଥାନାରେ ଦିଆଯାଇଥିବା ଏଫ୍‌ଆଇଆର୍‌କୁ ପଞ୍ଜୀକୃତ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ । ତେଣୁ ଏହା ପ୍ରତିବାଦରେ ଆସନ୍ତାକାଲି ବିଜେପି ତରଫରୁ ରାଜ୍ୟର ସମସ୍ତ ଥାନାରେ ପୁଲିସ ଡିଜି, ଭୁବନେଶ୍ୱର-କଟକ ପୁଲିସ କମିସନର ଏବଂ ଭୁବନେଶ୍ବର ଡିସିପିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦିଆଯିବ । ଗତକାଲି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ।