କନକ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଏଥିପାଇଁ ରାଜ୍ୟର ବିଭିନ୍ନ ସମସ୍ୟା ସଂପର୍କିତ ୧୦୮ଟି ପ୍ରସଙ୍ଗକୁ ନେଇ ଦଳ ଚାର୍ଜସିଟ୍ ପ୍ରସ୍ତୁତ କରିଛି । ଏଥିରେ ଫାଇଭ-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ମଧ୍ୟ ରହିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ସୂଚନା ଦେଇ କହିଛନ୍ତି କେଉଁ କ୍ଷମତା ବଳରେ ସଚିବ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି ।

Advertisment

କେଉଁ କ୍ଷମତାରେ ଓଡଶାର ସବୁ କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି । ଏହାଛଡା କୋଇଲା ଦୁର୍ନୀତି ଠାରୁ ଆରମ୍ଭ କରି ଲୁହା ପଥର ଦୁର୍ନୀତି ଯାଏଁ ଚାର୍ଜସିଟରେ ସ୍ଥାନ ପାଇଛି । ସରକାରଙ୍କ ବିଫଳତା, ଦୁର୍ନୀତିରେ ଲିପ୍ତ ରହିବା ପ୍ରସଙ୍ଗ, ପୁରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ପ୍ରସଙ୍ଗ ମଧ୍ୟ ଚାର୍ଜସିଟରେ ରହିଛି ବୋଲି କହିଛନ୍ତି ଜୟନାରାୟଣ । ପଂଚାୟତସ୍ତରରେ ଏବେ ଆନ୍ଦୋଳନ ଆରମ୍ଭ ହୋଇଛି, ପଂଚାୟତ ଅଫିସ ସମ୍ମୁଖରେ ଧାରଣା ବିକ୍ଷୋଭ ଚାଲିଛି । ତେଣୁ ପଂଚାୟତଠୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦିଆଯିବ ବୋଲି କହିଛନ୍ତି ଜୟନାରାୟଣ ।

ବିଜେପିର ଚାର୍ଜସିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ନିର୍ବାଚନ ବର୍ଷ ଅଛି ବିରୋଧୀ ଦଳ ଏଭଳି ଅଭିଯୋଗ କରିବେ । ଆମେ ଲୋକଙ୍କ ସହ ଅଛୁ । ନିର୍ବାଚନ ଆଗରୁ ଯେଉଁମାନେ ଲୋକଙ୍କ ପାଖକୁ ଯାଉନଥିଲେ, ସେମାନେ ତ ପୁଣି କିଛି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବେ । ତେଣୁ ଏଇ ଚାର୍ଜସିଟକୁ ଆଳ କରି ଲୋକଙ୍କ ପାଖକୁ ଯିବାକୁ ବିରୋଧୀ ଯୋଜନା କରିଥିବା ବିଜେଡି ବିଧାୟକ କହିଛନ୍ତି ।