ନୂଆ କୃଷିବିଲ୍ କୁ ନେଇ ସାମ୍ନାକୁ ଆସିଲା ବିଜେପି । ବିଲ୍ ର ଉପକାରିତା ବୁଝାଇବାକୁ ୭ ଶହ ସାମ୍ବାଦିକ ସମ୍ମିଳନୀ କରିବାକୁ ଘୋଷଣା ।

156

କନକ ବ୍ୟୁରୋ : ନୂତନ କୃଷିବିଲ୍ କୁ ବିରୋଧ କରି ଆଜିକୁ ୧୬ ଦିନ ହେବ ଦିଲ୍ଲୀ ସୀମାରେ କୃଷକ ମାନେ ଆନ୍ଦୋଳନ ଚଳାଇଛନ୍ତି । ବାରମ୍ବାର ସରକାର ଓ କୃଷକ ନେତା ମାନଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ଏହାକୁ ନେଇ ସରକାର ଦୋଛକିରେ ଥିବା ବେଳେ କୃଷକ ମାନଙ୍କ ପ୍ରତି ଦେଶସାରା ସମର୍ଥନ ବଢିବାରେ ଲାଗିଛି । ଫଳରେ ଏନଡିଏ ସରକାରର ମୁଖ୍ୟ ଅଂଶିଦାର ଥିବା ବିଜେପିର ଛବି ଜନମାନସରେ ମଳିନ ପଡିବାରେ ଲାଗିଛି । ଏହାକୁ ନେଇ ଦଳ ଏବେ ଫ୍ରଣ୍ଟ ଫୁଟ୍ ରେ ଖେଳିବାକୁ ପ୍ରୟାସ ଆରମ୍ଭ କରିଛି । ଅର୍ଥାତ୍ ସରକାରକୁ ପଛରେ ପକାଇ ଦଳ ନିଜେ ଏବେ କୃଷକ ମାନଙ୍କ ବିରୋଧକୁ ସାମ୍ନା କରିବ । ଏନେଇ ଦଳ ତରଫରୁ କୁହାଯାଇଛି କି କୃଷିବିଲର ଉପକାରିତା ବୁଝାଇବାକୁ ଦଳ ଦେଶସାରା ୭ ଶହ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବ । ଏହା ମାଧ୍ୟମରେ ମୋଦି ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ବିଲ ର ସକରାତ୍ମକ ଦିଗ ବାବଦରେ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର କରାଯିବ । ସାମ୍ବାଦିକ ସମ୍ମିଳନୀ ପରେ ଦେଶର ପ୍ରମୁଖ ସ୍ଥାନ ମାନଙ୍କରେ ଦଳ ତରଫରୁ କୃଷକ ସମ୍ମିଳନୀ ଆୟୋଜନ କରାଯିବ ।

ସୂଚନା ଥାଉକି କୃଷି କାନୁନ ଉଭୟ ସଂସଦରେ ପାରିତ ହେବା ପରେ ଏହାକୁ ନେଇ ବିଭିନ୍ନ ରାଜ୍ୟର କୃଷକ ମାନେ ବିରୋଧ ଆରମ୍ଭ କରିଥିଲେ । ଏନେଇ ବିଜେପି ପକ୍ଷରୁ କୃଷି କାନନୁ ସଂପର୍କରେ କିଛି ପ୍ରଚାର ପତ୍ର ବାଣ୍ଟିଥିଲା । ଯେଉଁଥିରେ କି ନୂତନ କୃଷି ବିଲ୍ କିଭଳି କୃଷକଙ୍କ ଆୟ ବଢାଇବ ତାହା ଉପରେ ଉଲ୍ଲେଖ ଥିଲା । ଏହାପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କୃଷି ବିଲର ଲାଭ ସଂପର୍କରେ କୃଷକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

ଅନ୍ୟପଟେ ଦିଲ୍ଲୀରେ କୃଷକ ମାନେ ଆନ୍ଦୋଳନ ଆରମ୍ଭ କରିବା ପରେ ବିଜେପି ପକ୍ଷରୁ ଏହାକୁ ନେଇ ବିରୋଧୀ ଦଳ ଓ କୃଷକ ମାନଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି । ବିଜେପି ଏବେ ବି କହୁଛି ଯେ କୃଷକ ମାନେ ବିରୋଧୀ ଦଳ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଆନ୍ଦୋଳନକୁ ଉହ୍ଲାଇଛନ୍ତି । ବିରୋଧୀ ଦଳ ମାନେ କୃଷକ ମାନଙ୍କ କାନ୍ଧରେ ବନ୍ଧୁକ ରଖି ବ୍ୟବସାୟୀଙ୍କୁ ସହାୟତା କରୁଥିବା ଭଳି ଅଭିଯୋଗ ବିଜେପି ନେତାମାନେ ବାରମ୍ବାର କରିଆସୁଛନ୍ତି ।

ଏହା ସହ ସଦ୍ୟ ରାଜସ୍ଥାନର ପଂଚାୟତ ନିର୍ବାଚନ ଓ ହାଇଦ୍ରାବାଦ ନିର୍ବାଚନରେ ବିଜେପିର ବିଜୟ ପରେ ଏହାକୁ ନେଇ ବିଜେପି ନେତା ମାନେ କହିଛନ୍ତି କି ଏହି ବିଜୟ ସୂଚାଉଛି ଯେ କୃଷକ ମାନେ କୃଷି କାନୁନକୁ ସମର୍ଥନ କରୁଛନ୍ତି । ଏହା ସହ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପ୍ରକାଶ ଜାବେଡକର ଦାବି କରିଥିଲେ କି ରାଜସ୍ଥାନରେ ୨ କୋଟି କୃଷକ ବିଜେପି ସମର୍ଥନରେ ଭୋଟ ଦେଇଛନ୍ତି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ଅନେକ ସମୟରେ କହିଛନ୍ତି କି ବିରୋଧୀ ଦଳ ମାନେ କୃଷକ ମାନଙ୍କୁ ଭ୍ରମିତ କରୁଛନ୍ତି । ଏହାସହ ମୋଦି କହିଛନ୍ତି କି କୃଷକ ମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବଭଳି ରହିବ । ମଣ୍ଡି ବ୍ୟବସ୍ଥାକୁ ବି ପୂର୍ବ ଠାରୁ ଆହୁରି ମଜବୁତ କରାଯିବ । ଏନେଇ ସରକାରଙ୍କ ତରଫରୁ କୃଷକ ମାନଙ୍କୁ ଲିଖିତ ପ୍ରତିଶୃତି ଦେଇଥିଲେ ବି କୃଷକ ମାନେ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।