ରେଳ ଦୁର୍ଘଟଣାକୁ ନେଇ ମୁହାଁମୁହିଁ ବିଜେପି-ଟିଏମସି। ଦୁର୍ଘଟଣା ପଛରେ ଟିଏମସିର ଷଡ଼ଯନ୍ତ୍ର ଅଭିଯୋଗ

10,502

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ ମୁହିାଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମସି । ତିନି ଟ୍ରେନ ଦୂର୍ଘଟଣାରେ ସିବିଆଇ ତଦନ୍ତ ଦ୍ୱାରା କୌଣସି ଲାଭ ମିଳିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିବା ପରେ ଏହାର ଜବାବ ଦେଇଛି ବିଜେପି । କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ ଦୁର୍ଘଟଣା ପଛରେ ଟିଏମସିର ଷଡ଼ଯନ୍ତ୍ର ଥିବା ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ କହିଛନ୍ତି, ଓଡ଼ିଶା ଟ୍ରେନ ଦୁର୍ଘଟଣା ଟିଏମସିର ଷଡ଼ଯନ୍ତ୍ର । ଏହା ପଛରେ ସେମାନଙ୍କର ସମ୍ପୃକ୍ତି ଅଛି । ଅନ୍ୟ ରାଜ୍ୟରେ ଘଟିଥିବା ଦୁର୍ଘଟଣାରେ ମମତା ବାନାର୍ଜୀ କାହିଁକି ଏତେ ଆତଙ୍କିତ ହୋଇପଡିଛନ୍ତି? କାହିଁକି ସିବିଆଇ ତଦନ୍ତରେ ତାଙ୍କର ଅସୁବିଧା ହେଉଛି? ବୋଲି ପ୍ରଶ୍ନ କରିଛନ୍ତି ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ।

ଟ୍ରେନ ଦୁର୍ଘଟଣାକୁ ନେଇ ଦୁଇ ରେଲୱେ ଅଧିକାରୀଙ୍କ କଥାବାର୍ତ୍ତାର ଅଡିଓ ଟିଏମସି ନେତା କୁନାଲ ଘୋଷ ଟୁଇଟରରେ ପୋଷ୍ଟ କରିଥିଲେ । ଯାହାକୁ ଇଙ୍ଗିତ କରି ଏହା ପଛରେ ଟିଏମସିର ଷଡ଼ଯନ୍ତ୍ର ଥିବା କହିଛନ୍ତି ଶୁଭେନ୍ଦୁ ଅଧିକାୀର । ସୋମବାର ମମତା କହିଥିଲେ, ସେ ରେଳମନ୍ତ୍ରୀ ଥିବା ବେଳେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ୧୨ ବର୍ଷ ବିିତିଯାଇଥିଲେ ବି କିଛି ଫଳାଫଳ ଆସିନାହିଁ । ରେଳ ସୁରକ୍ଷା କମିଶନ ଥିବା ସତ୍ୱେ ସିବିଆଇ ଟ୍ରେନ ଦୁର୍ଘଟଣା ମାମଲାର ତଦନ୍ତ କରୁଛି । ଏଭଳି ମାମଲାର ତଦନ୍ତ ଭାର ରେଳ ସୁରକ୍ଷା କମିଶନକୁ ଦେବାର ଆବଶ୍ୟକତା ରହିଛି । କେଉଁଠି ଭୁଲ ଥିଲା ସେମାନେ ତଦନ୍ତ କରି ରିପୋର୍ଟ ଦେଇଥାନ୍ତେ । ଓଡ଼ିଶାରେ ଟ୍ରେନ ଦୁର୍ଘଟଣା ହୋଇଛି କିନ୍ତୁ ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗରେ ଅଧିକ ରାଜନୀତି ଦେଖିବାକୁ ମିଳିଛି ।