ବଢୁଛି ପରୀ ତାତି: ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି; ସେପଟେ ଅରୁଣ ସାହୁଙ୍କ ଘର ଆଗରେ ଏବିଭିପିର ବିକ୍ଷୋଭ

ଘଟଣା ସ୍ଥଳକୁ ଯିବେ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା

221

କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନି । ଗତକାଲି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁରେ ପରୀ ବାପା ମାଆଙ୍କୁ ଭେଟିବା ପରେ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏସଆଇଟି ନୁହେଁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଏହା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି । ଏନେଇ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଗତକାଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ବିଧାୟକ ଯାଇ, ପୀଡ଼ିତ ପରିବାର ଲୋକଙ୍କୁ ଭେଟିଥିଲେ । ସେହିପରି ଗତକାଲି ଦିଲ୍ଲୀରେ ମଧ୍ୟ ପରୀକୁ ନ୍ୟାୟ ଦାବିରେ ଦିଲ୍ଲୀ ସ୍ଥିତ ସଡ଼ିଶା ଭବନ ପାଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

ସେପଟେ ପରୀକୁ ନ୍ୟାୟ ଦାବିରେ ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଆଗରେ ଏବିଭିପିର ବିକ୍ଷୋଭ । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରୀ ମୃତ୍ୟୁ ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଛି । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି କରାଯାଇଛି । ହାତରେ ବ୍ୟାନର ଧରି ମନ୍ତ୍ରୀଙ୍କ ଘର ଆଗରେ ନାରାବାଜି ଦେଉଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇନେଇଛି ।

ଏପଟେ, ଏସଆଇଟି ଖୋଲିବ ‘ପରୀ’ ମୃତ୍ୟୁର ରହସ୍ୟ । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ହାଇକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର । ବଛା ବଛା ଅଫିସରଙ୍କୁ ନେଇ ୫ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସଆଇଟି ଗଠନ କରାଯାଇଛି । ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଟିମ ଆଜି ନୟାଗଡର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବ । ପରୀକୁ ନେଇ ବିଧାନସଭା ଅଚଳ ହୋଇପଡିବା ପରେ ସରକାର ଘଟଣାର ଏସଆଇଟି ଗଠନ କରିବାକୁ ଘୋଷଣା କରିଥିଲେ ।