ବିଜେପି କର୍ମୀଙ୍କୁ ପୋଲିସ ଦେଉଛି ଧମକ । ସୁନ୍ଦରଗଡ ଏସଡିପିଓ ଓ ଭସ୍ମା ଆଇଆଇସିଙ୍କ ନାଁରେ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି ।

227

କନକ ବ୍ୟୁରୋ : ମୋ ସ୍କୁଲର ସମୀକ୍ଷା ବିଜେଡି କର୍ମୀ କରିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ବିଜେପି ପ୍ରତିନିଧି ଦଳ । ରାଜ୍ୟର ୯୩ ବ୍ଲକରେ ମୋ ସ୍କୁଲ୍ ଗୁଡିକର ସମୀକ୍ଷା କରିବା ପାଇଁ ୯୩ ଜଣ କର୍ମଚାରୀଙ୍କୁ ଏପ୍ରିଲ ୧୦ ତାରିଖରେ ଚିଠି କରିଥିଲେ ରାଜ୍ୟ ସରକାର । କିନ୍ତୁ ସମୀକ୍ଷା ପାଇଁ ବିଜେଡି କର୍ମୀଙ୍କୁ ଭଲ୍ୟୁଣ୍ଟର ଭାବେ ନିୟୋଜିତ କରାଯାଇଛି ବୋଲି ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେପି ।

କେବଳ ସେତିକି ନୁହେଁ ସୁନ୍ଦରଗଡ ଏସଡିପିଓ ହିଂମାଶୁ ଶେଖର ବେହେରା ଏବଂ ଭସ୍ମା ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କ ବିରୁଦ୍ଧରେ ବିଜେଡି ପାଇଁ କାମ କରୁଥିବା ନେଇ ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ଉଭୟ ପୋଲିସ ଅଧିକାରୀ ବିଜେପି କର୍ମୀ ମାନଙ୍କୁ ଧମକ ଦେଉଥିବା ନେଇ ଅଭିଯୋଗ କରିଛି ଦଳ । ଯଦି ବିଜେପି ପାଇଁ କାମ କରିବ ତେବେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଯାଇବା ବୋଲି ଧମକ ଦେଉଛନ୍ତି ଆଇଆଇସି ଓ ଏସଡିପିଓ । ଏପରିକି ଭସ୍ମାରେ ୪୦ ଜଣ କର୍ମୀଙ୍କ ନାଁରେ ମିଛ ମକଦ୍ଦମା କରାଯାଇଛି । ତେଣୁ ଏହି ଅଫିସର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ବିଜେପି ।