କନକ ବ୍ୟୁରୋ : ଏବେ ଆମ୍ବକୁ ନେଇ ଶାସକ ଦଳ ଓ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ୭ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରିଛି ବିଜେପି ।

ଗୋଟେ ପଟେ ବାଂଲାଦେଶରେ ସଂରକ୍ଷଣକୁ ନେଇ ଦଙ୍ଗା ନିଆଁ ଜଳୁଥିବାବେଳେ ପାକିସ୍ତାନ କିଛି ଭାରତ ଆଡକୁ ଢଳିବାକୁ ଚେଷ୍ଟା କରୁଛି । ଆମ୍ବକୁ ଢାଲ କରି ଭାରତର ବିରୋଧୀ ସାଂସଦଙ୍କ ସହ ସମ୍ପର୍କ ଦୃଢ କରିବାକୁ ଚାହୁଁଥିବା ଜଣାପଡିଛି । କାରଣ ବିଜେପିର କିଛି ଟାଣୁଆ ନେତା ଦାବି କରିଛନ୍ତି ଦିଲ୍ଲୀ ସ୍ଥିତ ପାକିସ୍ତାନର ହାଇ କମିଶନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୭ ଭାରତୀୟ ସାଂସଦ କପିଲ ଶିବଲ, ଶଶି ଥରୁର, ମୋହିବୁଲ୍ଲାହ ନଦବୀ, ଜିୟା ଉଲ ରହମାନ୍ ୱର୍କ, ଅଫଜାଲ ଅଂସାରୀ, ଇକାରା ହସନଙ୍କ ପାଖକୁ ପେଟି ପେଟି ପାକିସ୍ତାନ ଆମ୍ବ ପଠାହେଉଛି ।
ଏହାକୁ ନେଇ କଂଗ୍ରେସ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଅମିତ ବାଲବୀୟ । ସେ କହିଛନ୍ତି ‘ପାକିସ୍ତାନ ହାଇ କମିଶନ ବଛା ବଛା କଂଗ୍ରେସ ସାଂସଦଙ୍କ ପାଖକୁ ଆମ୍ବ କାର୍ଟୁନ ପଠାଉଛନ୍ତି । ଏମାନଙ୍କୁ ହାଇକମିଶନରୁ ନିର୍ଦ୍ଦିଷ୍ଟ ଭାବେ କିଏ ଆମ୍ବ ପଠାଉଛି ତାହା ଜାଣିବା କଥା’ ।

କେନ୍ଦ୍ରମନ୍ତ୍ରୀ ଗିରିରାଜ ମଧ୍ୟ ଏକ୍ସରେ କଂଗ୍ରେସ ନେତା ତଥା ରାହୁଲ ଗାନ୍ଧୀଙ୍କୁ ଏନେଇ କଟାକ୍ଷ କରିଛନ୍ତି । କହିଛନ୍ତି ‘ ରାହୁଲଙ୍କୁ ଉତ୍ତରପ୍ରଦେଶ ଆମ୍ବ ଆଉ ଭଲ ଲାଗୁନି । ରାହୁଲ ଓ ତାଙ୍କର କିଛି ଗ୍ୟାଙ୍ଗକୁ ପାକିସ୍ତାନ ପଠାଉଥିବା ଆମ୍ବ ଭାରି ସୁଆଦିଆ ଲାଗୁଛି । ଆମ୍ବ ଡିପ୍ଲୋମାସି ସହ କଂଗ୍ରେସ ସାଂସଦମାନେ କିଛି ଡିଲ କରୁଥାଇପାରନ୍ତି’ ।