ନବରଙ୍ଗପୁର ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ମାମଲା: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଜବାବ ମାଗିଲା ବିଜେପି, ଏପଟେ ଏନଏଚଆରସିରେ ପହଂଚିଲା ମାମଲା

53

କନକ ବ୍ୟୁରୋ: ନବରଙ୍ଗପୁର ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ମାମଲା । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଜବାବ ମାଗିଲା ବିଜେପି । ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରୀ ମାନେ ସୁରକ୍ଷିତ ନଥିବା କହିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ । ଘଟଣାରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ରାଜ୍ୟରେ ମହିଳା ବିରୋଧୀ ଅପରାଧରେ କଣ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଶ୍ୱେତପତ୍ର ଜାରି କରନ୍ତୁ ବୋଲି ବିଜେପି କହିଛି । ଏପଟେ ଏନଏଚଆରସିରେ ପହଂଚିଲା ଏହି ମାମଲା । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନାବାଳିକାଙ୍କ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ମାମଲା ଦାୟର କରିଛନ୍ତି ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ।

ଏହି ମାମଲାରେ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କୁ ଅଟକ ରଖି ରାଇଘର ପୁଲିସ ପଚରାଉଚରା କରୁଛି । ନବରଂଗପୁର ଜିଲ୍ଲା ରାଇଘରରେ ଜଣେ ନାବାଳିକାଙ୍କ ଦୁଷ୍କର୍ମ ପଛରେ ସ୍କୁଲର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି । ପୀଡିତା ଜଣଙ୍କ ସ୍କୁଲର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ବୋଲି ଜଣାପଡିଛି । ରାଇଘର ବ୍ଲକ କୁନ୍ଦେଇ ଥାନା ଅଂଚଳର ଏହି କୁତ୍ସିତ ଘଟଣା ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ ଲଗାଇଛି । ପୀଡିତାଙ୍କ ପରିବାର ଥାନାରେ ଏତଲା ଦେବାରୁ ଏହି ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ୭ ତାରିଖ ଦିନ ପୀଡିତାଙ୍କ ସହ ଏହି କୁତ୍ସିତ କାରନାମା ଘଟିଥିଲା । ଏହାପରେ ଲୋକଲଜ୍ଜା ଭୟରେ ପୀଡିତା କାହାରିକୁ କିଛି କହିନଥିଲେ । ପରେ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ । ଏହାପରେ ହସ୍ପିଟାଲରେ ନର୍ସ ଜଣଙ୍କ ପୀଡିତାଙ୍କ ସହ କଥାବାର୍ତା ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ କନ୍ଦେଇ ଥାନାରେ ପରିବାର ଲୋକେ ଏତଲା ଦେଇଥିଲୋ ପୋଲିସ ଏବେ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।