ମାହାଙ୍ଗା ପ୍ରସଙ୍ଗ: ଗୃହରେ କଥା ବୁଲାଉଛି କିଏ ? କଂଗ୍ରେସକୁ କଟାକ୍ଷ କଲା ବିଜେପି

95

କନକ ବ୍ୟୁରୋ: ଶୁକ୍ରବାର ଗୃହ ଆରମ୍ଭ ହେଲା, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଷ୍ଟାଫ ସିଲେକସନ ଦୁର୍ନୀତି କଥା ଉଠାଇଲେ, ମାତ୍ର କେଇ ସେକେଣ୍ଡ ଭିତରେ ଅପରାହ୍ନ ୪ଟା ଯାଏଁ ମୁଲତବୀ ହୋଇଗଲା । କେହି କିଛି ବୁଝିପାରିଲେ ନାହିଁ , କଣ ହେଲା, କାହିଁକି ହଠାତ୍ ଦିନ ତମାମ ପାଇଁ ବିଧାନସଭା ମୁଲତବୀ ହୋଇଗଲା ।

ବିଜେପି ଆଣିଲା ସାଂଘାତିକ ଅଭିଯୋଗ । ‘ବିଜେଡି ସହ ଫିକ୍ସିଂ କରିଛି କଂଗ୍ରେସ’ । ବିଜେପିର ଅଭିଯୋଗ ହେଉଛି, ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ଗତକାଲି ବିଧାନସଭାରେ ହଙ୍ଗାମା ହେବା ପରେ ଆଜି ପୁଣି ସେହି ପ୍ରସଙ୍ଗ ଜୋର ଧରିବା ଆଶଙ୍କା କରିଥିଲା ଶାସକ ଦଳ । ସେଥିପାଇଁ କଂଗ୍ରେସ ଦଳ ସହ ମିଶି ପ୍ରସଙ୍ଗ ବଦଳାଇବାକୁ ଚେଷ୍ଟା କରିଛି ଏବଂ ଏଥିପାଇଁ ଏକ ଡିଲ ହୋଇଛି । ସେମାନେ ଅଭିଯୋଗ କରିଛନ୍ତି ହାଇକୋର୍ଟଙ୍କ ରାୟ ପରେ ଏହି ପ୍ରସଙ୍ଗରେ ଶାସକ ଦଳ ବ୍ୟାକଫୁଟରେ ଅଛି । ତେବେ ଷ୍ଟାଫ ସିଲେକସନ ଦୁର୍ନୀତି କଥା ଉଠାଇଥିବା କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ବିଜେପି ଅନ୍ୟ ପ୍ରସଙ୍ଗ ଆଣିବାକୁ ଥିବାରୁ ସେମାନେ ଏହି ଦୁର୍ନୀତି କଥା ଉଠାଇଥିଲେ ।

ଅପରାହ୍ନ ୪ଟାରେ ବିଧାନସଭା ପୁଣି ଆରମ୍ଭ ହୋଇଥିଲା, କିନ୍ତୁ କଂଗ୍ରେସ ପୁଣି ହୋହାଲ୍ଲା କରିବାରୁ ବିଧାନସଭା ବନ୍ଦ ହୋଇଯାଇଥିଲା । ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ, ଏବଂ ବିଧାନସଭା ସ୍ୱାଭାବିକ ହୋଇଥିଲା ।