ଧାରଣାରୁ ଉଠିବା ପରେ ବିଜେପି ବିଧାୟକଙ୍କ ପ୍ରେସମିଟ୍ । କହିଲେ, ଅପ୍ରୀତିକର ପରିସ୍ଥିତି ପାଇଁ ବାଚସ୍ପତି ଦାୟୀ, ରାଜ୍ୟପାଳଙ୍କୁ ଫେରାଦ ହେବ ବିଜେପି ବିଧାୟକ ଦଳ ।

129

କନକ ବ୍ୟୁରୋ : ବିଧାନସଭାରେ ବାଚସ୍ପତି ପାତରଅନ୍ତର କରୁଥିବା ଅଭିଯୋଗ ଆଣିଲା ବିଜେପି । ଧାରଣାରୁ ଓହରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । ବିଧେୟକ ପାରିତ ହେଲେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଗୃହରେ କହିବାର ଅଧିକାର ରହିଛି । କିନ୍ତୁ ଯେତେବେଳେ ଗତକାଲି ବିନା ଆଲୋଚନାରେ ବିଲ୍ ପାରିତ କରାଗଲା, ସେତେବେଳେ ବିରୋଧୀ ଦଳ ନେତା ଭାବେ କହିବାକୁ ଛିଡା ହେଲେ ମଧ୍ୟ ବାଚସ୍ପତି ଆମ ଆଡକୁ ଅନାଇଲେ ନାହିଁ ।ବିଜେପି ସଦସ୍ୟ ବାରମ୍ବାର କହିବା ସତ୍ତେ୍ୱ ମଧ୍ୟ ବାଚସ୍ପତି ଶୁଣିଲେନି । ତେଣୁ ବାଚସ୍ପତିଙ୍କ ଦୃ୍ଷ୍ଟି ଆକର୍ଷଣ କରିବାକୁ ହେଡଫୋନ, କଲମ ଫୋପାଡା ଯାଇଛି । କିନ୍ତୁ ଏହି ପ୍ରସଙ୍ଗରେ ଆମକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ୩ ଜଣ ବିଧାୟକଙ୍କୁ ସସପେଣ୍ଡ କରିଦିଆଗଲା । ବିନା ଦୋଷରେ ଆମେ ଦଣ୍ଡିତ ହେଇଛୁ ।

ଗତକାଲି ବିଧାନସଭାରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ସେଥିପାଇଁ ଖୋଦ ବାଚସ୍ପତି ଦାୟୀ । ବିଜେଡିର ଖେଳନା ଭଳି କାମ କରୁଥିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି କହିଛନ୍ତି ପ୍ରଦୀପ୍ତ । ବିରୋଧୀଙ୍କ କଥା ଶୁଣିବାକୁ ଗୃହର ଅଧ୍ୟକ୍ଷ ଓ ଗୃହର ନେତା ଶୁଣିବାକୁ ବାଧ୍ୟ କିନ୍ତୁ ବିଧାନସଭାରେ ତାହାର ବ୍ୟତିକ୍ରମ ହେଉଛି । ବିଧାନସଭା ଯେମିତି ନ ଚାଲୁ ତାହା ଚାହୁୁଁଛନ୍ତି ଶାସକ ଦଳ, କାରଣ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳ ବଦନାମ ହେବାର ଭୟ ଥିବାର ୁ ଏଭଳି କରୁଛନ୍ତି । ତେଣୁ ପାରିତ ହୋଇଥିବା ବିଲ୍ ବାବଦରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବୁ ବୋଲି କହିଛନ୍ତି ପ୍ରଦୀପ୍ତ । ଏପରିକି ବିନା ଆଲୋଚନାରେ ବିଲ୍ ପାରିତ ହୋଇଥିବାରୁ ଏହାକୁ ମଞ୍ଜୁରୀ ନ ଦେବାକୁ କହିବୁ ।

ଗତକାଲି ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗାଯିବା ଘଟଣାରେ ୩ ବିଧାୟକଙ୍କୁ ସସପେଣ୍ଡ କରାଯାଇଥିଲା । ଯାହାକୁ ନେଇ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ ବିଜେପି ବିଧାୟକ । ରାତି ତମାମ ଧାରଣାରେ ବସିବା ପରେ ବିଜେପି ସହପ୍ରଭାରୀଙ୍କ ଅନୁରୋଧ ପରେ ଧାରଣାରୁ ହଟିଥିଲେ ବିଜେପି ବିଧାୟକ ।