ଆବାସକୁ ନେଇ ଚେତାବନୀ ଦେଲା ବିଜେପି । କହିଲା ୨୪ ଘଣ୍ଟା ଭିତରେ ଲଗାଅ ହିତାଧିକାରୀଙ୍କ ତାଲିକା, ଦଳୀୟ ଆଧାରରେ ଆବାସ ବାଣ୍ଟିଲେ ୩୧୪ ବ୍ଲକରେ ତାଲା ପକାଇବ ଦଳ ।

202

କନକ ବ୍ୟୁରୋ : ପିଏମ ଆବାସକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଡିସେମ୍ବର ୨୧ ତାରିଖ ସୁଦ୍ଧା ପଞ୍ଚାୟତ କାନ୍ଥରେ ପିଏମ ଆବାସର ଟେଣ୍ଟେଟିଭ ଲିଷ୍ଟ ମାରିବା କଥା । ଏଯାବତ ୯୦ ପ୍ରତିଶତ ପଞ୍ଚାୟତରେ ତାଲିକା ତିଆରି ହୋଇସାରିଲାଣି । ଡିସେମ୍ବର ମାସ ଶେଷ ସପ୍ତାହ ସୁଦ୍ଧା ତାଲିକା ପ୍ରସ୍ତୁତ ହୋଇ ସାରିଥିଲେ ମଧ୍ୟ ଏହାକୁ ଲୁଚାଇ ରଖାଯାଇଛି ।

ପିଏମ ଆବାସକୁ ନେଇ ୧୦୦ଟି ପଞ୍ଚାୟତର ତାଲିକାକୁ ତଦାରଖ କରିଛି ବିଜେପି । ୨୦୧୯ର ଯୋଗ୍ୟ ହିତାଧିକାରୀଙ୍କ ନାଁ ଏବେ ପ୍ରସ୍ତୁତ ହୋଇଥିବା ତାଲିକାରୁ କଟି ଯାଇଛି । ୨୦୧୮ ଓ ୨୦୧୯ରେ ଯେମିତି ଅଯୋଗ୍ୟଙ୍କ ନାଁ ଏଣ୍ଟ୍ରି ହୋଇଥିଲା ଏବଂ ଦଳୀୟ ଆଧାରରେ ତାଲିକା ହୋଇଥିଲା, ଏଥର ସେମିତି ହୋଇଛି । ସେଥିପାଇଁ ତାଲିକା କାନ୍ଥରେ ମରାଯାଉନାହିଁ । ସାଧାରଣ ଲୋକ ଜାଣିବେ କେମିତି ହିତାଧିକାରୀ କିଏ । ସୁବିଧାଜନକ ସ୍ଥିତି ହେଲେ ଗ୍ରାମସଭାରେ ଏହାକୁ ପାରିତ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ବରଦାସ୍ତ କରିବନି ବିଜେପି । ଗ୍ରାମସଭାରେ ଯଦି ପ୍ରଧାନମନ୍ତ୍ରୀ ଆବାସ ବିଷୟରେ ଆଲୋଚନା ହେବ ନାହିଁ, ତେବେ ରାଜ୍ୟ ସରକାର ଏହି ଗ୍ରାମ ସଭା ଗୁଡିକୁ ଅସିଦ୍ଧ ଘୋଷଣା କରନ୍ତୁ । ଓଡ଼ିଶାର ଗରିବ ବିରୋଧୀ ଓ ସ୍ୱାର୍ଥ ବିରୋଧୀ କୌଣସି ନିଷ୍ପତ୍ତି ଗ୍ରାମସଭାରେ ନିଆଗଲେ ବିଜେପି ରାଜ୍ୟର ୩୧୪ ବ୍ଲକରେ ତାଲା ପକାଇବ । ପ୍ରଧାନମନ୍ତ୍ରୀ ଆବାସ କ୍ଷେତ୍ରରେ ଜିରୋ ଟଲୋରାନ୍ସ ନୀତିରେ ଯିବ ବିଜେପି । କୌଣସି ପ୍ରକାର ଟାଳଟୁଳ ନୀତି ଓ ଚଞ୍ଚକତାକୁ ସହ୍ୟ କରିବନି ବିଜେପି । ପ୍ରସ୍ତୁତ ହୋଇଥିବା ହିତାଧିକାରୀଙ୍କ ତାଲିକାକୁ ୨୪ ଘଣ୍ଟା ମଧ୍ୟରେ କାନ୍ଥରେ ମରାଯାଉ ବୋଲି ଦାବି କରିଛି ବିଜେପି । ଏପରିକି ଅଯୋଗ୍ୟ ହିତାଧିକାରୀଙ୍କ ନାଁ କାଟିବାକୁ ତାଲିକା ଲାଗିବାର ୨ ଦିନରେ ଭିତରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି କହିଛି ବିଜେପି । ଯଦି ପିଏମ ଆବାସକୁ ନେଇ କୌଣସି ତ୍ରୁଟି ବିଚ୍ୟୁତି ରୁହେ ତେବେ ଏହାକୁ ଗ୍ରହଣ କରିବନି ବିଜେପି ।