ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ସରକାରଙ୍କ ଉପରେ ବର୍ଷିଲା ଦଳ । କହିଲା, ଓଡିଶାର ବିକାଶରେ ବାଧକ ସାଜିଛନ୍ତି ବିଜେଡି ସରକାର ।

75

କନକ ବ୍ୟୁରୋ: ଓଡ଼ିଶାର ବିକାଶରେ ନିଜେ ଓଡ଼ିଶା ସରକାର ହିଁ ବାଧକ ସାଜିଛନ୍ତି । ଓଡ଼ିଶାର ଉନ୍ନତି ପାଇଁ କେନ୍ଦ୍ର ଟଙ୍କା ପଠାଉଥିବା ବେଳେ ରାଜ୍ୟ ସରକାର ଏହା ଖର୍ଚ୍ଚ କରିପାରୁନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ଶିଶୁ ନିଖୋଜ, ହତ୍ୟା ଓ ମହିଳା ହିଂସା ଭଳି ପ୍ରସଙ୍ଗକୁ ନେଇ ଆଜି ନିଜର କାର୍ୟ୍ୟକାରିଣୀ ବୈଠକରେ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି ବିଜେପି ।

– ଯୋଗ୍ୟ ହିତାଧିକାରୀ କାହିଁକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉନାହାନ୍ତି ।
– ମନରେଗା ଯୋଜନାରେ କାମ ନପାଇ କାହିଁକି ଫେରିଗଲେ ପ୍ରବାସୀ ଶ୍ରମିକ ।
– ସୀମା ବିବାଦ ପ୍ରସଙ୍ଗରେ କାହିଁକି ମୁଖ୍ୟମନ୍ତ୍ରୀ ପଡୋଶୀ ରାଜ୍ୟ ସହ ଆଲୋଚନା କରୁନାହାନ୍ତି ।

ଏମିତି କିଛି ପ୍ରଶ୍ନ ସହ ଆଇନ ଶୃଙ୍ଖଳା, ମହିଳା ହିଂସା, ଶିଶୁ ନିଖୋଜ ପରି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିଜେପି ନେତା । ଏହା ସହ ସଙ୍ଗଠନକୁ ମଜବୁତ କରିବା ଏବଂ ଆଗକୁ ଆସୁଥିବା ପିପିଲି ଉପ ନିର୍ବାଚନ, ପଂଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଗଲା

କୋଭିଡ କଟକଣା କୋହଳ ହେବା ପରେ ଗୋଟିଏ ମଂଚରେ ମିଳିତ ହୋଇ ଲଢ଼େଇ ଡାକରା ଦେଲେ ବିଜେପି ନେତା । କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ବିକାଶରେ ବାଧକ ରାଜ୍ୟ ସରକାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ସୀମା ବିବାଦକୁ ନେଇ ୩ଟି ଚିଠା ପ୍ରସ୍ତାବ ମଧ୍ୟ ଗୃହୀତ କରାଗଲା । ଏପଟେ ବିଜେପି ଅଭିଯୋଗର ଉତର ରଖିଛି ବିଜେଡ଼ି ।

ବାଜପେୟୀ ଜୟନ୍ତୀ ଅର୍ଥାତ ଆସନ୍ତା ଡିସେମ୍ବର ୨୫ ସୁଦ୍ଧା ସଂଗଠନ ଜରିଆରେ ଦେଶର ପ୍ରତ୍ୟେକ ଲୋକ ପାଖରେ ପହଂଚିବାକୁ ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏପଟେ ରାଜ୍ୟ ବିଜେପିର ନବନିଯୁକ୍ତ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ କିପରି ରଣନୀତି ଆପଣାଉଛନ୍ତି ଓ ନେତାକର୍ମୀ ଏହାକୁ କେତେ ଦୂର ଫଳପ୍ରଦ କରୁଛନ୍ତି ତାହାକୁ ଅପେକ୍ଷା ।