ଜଳୁଛି ଶିମିଳିପାଳ, ନିଆଁ ଲିଭାଇବାରେ ସରକାର ଫେଲ । ପ୍ରେସମିଟରେ ସରକାରଙ୍କୁ ଟାର୍ଗେଟ କଲା ବିଜେପି ।

86

କନକ ବ୍ୟୁରୋ : ଗତ ଗୋଟିଏ ସପ୍ତାହେରୁ ଅଧିକ ଦିନ ହେବ ଶିମିଳିପାଳ ଜଳୁଛି । ଆଉ ଏବେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ସପ୍ତାହେରୁ ଅଧିକ ଦିନ ହେବ ଶିମିଳିପାଳ ଜଙ୍ଗଲ ହୁ ହୁ ହୋଇ ଜଳୁଥିବା ବେଳେ ନିଆଁ ଲିଭାଇବା ଦିଗରେ ସରକାର ଦୃଷ୍ଟି ଦେଉନାହାନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଶିମିଳିପାଳର ୧୦ଟି କୋର ଏରିଆରେ ନିଆଁ ଲାଗିବା ସହ ବଫର ଏରିଆରେ ଥିବା ପିଠାବଟା ରେଞ୍ଜ ଖସାଡିହା ଜଙ୍ଗଲରେ ବି ନିଆଁ ବ୍ୟାପିଛି । ତେବେ ସରକାର କହୁଛନ୍ତି ଲିଭେଇ ଦେଇଛୁ କିନ୍ତୁ ବାସ୍ଥବରେ ସ୍ଥିତି ଅଲଗା ।କେନ୍ଦ୍ର ସରକାର ବହୁ ଅର୍ଥ ଦେଉଛନ୍ତି ଜୈବ ମଣ୍ଡଳର ସୁରକ୍ଷା ପାଇଁ ହେଲେ ରାଜ୍ୟ ସରକାର ତାର ଠିକ୍ ଭାବେ ବିନିଯୋଗ କରି ପାରୁ ନାହାନ୍ତି  । ଏ ପ୍ରସଙ୍ଗକୁ ଆସନ୍ତା ୧୨ ତାରିଖରେ ବିଧାନସଭାରେ ଦଳ ଗୁରୁତ୍ୱପୁର୍ଣ ପ୍ରସଙ୍ଗ ଭାବେ ଉଠାଇବ ବୋଲି ସୂଚନା ଦେଇଛନ୍ତି ମୋହନ ମାଝୀ  ।  କିଛି ଜଙ୍ଗଲ ମାଫିଆ ଓ ଅସାମାଜିକ ଲୋକେ ଏହି ନିଆଁ ଲଗାଉଛନ୍ତି ଯାହା ମନୁଷ୍ୟକଅତ । ତେଣୁ ଏମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ମୋହନ ମାଝୀ ।

ସେହିଭଳି ଦେଓଗଡର ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କହିଛନ୍ତି, ସରକାରଙ୍କ ଗୋଟିଏ ବିଭାଗ ନିଆଁ ଲଗାନ୍ତି ଓ ଆଉ ଗୋଟେ ବିଭାଗ ନିଆଁ ଲିଭାଏ  । ନୂଆ କେନ୍ଦୁପତ୍ର ପାଇଁ ନିଜେ ସରକାର ନିଆଁ ଲଗାନ୍ତି ଏବଂ ନିଜେ ଲିଭାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଧାୟକ ସୁବାଷ ପାଣିଗ୍ରାହୀ  । କେନ୍ଦୁପତ୍ର ବିଭାଗ ନିଆଁ ଲଗାଏ ଏବଂ ଜଙ୍ଗଲ ବିଭାଗ ନିଆଁ ଲିଭାଏ ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଏବେ ସରକାର ନିଆଁ ଲିଭାଇବାକୁ ଗୁରୁତ୍ଵ ଦେଉ ନଥିବାରୁ ଏମିତି ସ୍ଥିତି ହେଉଛି ବୋଲି କହିଛନ୍ତି ସୁବାଷ  ।