ଚାର୍ଜସିଟରେ ହତ୍ୟାର କାରଣ ସ୍ପଷ୍ଟ ନାହିଁ, ଘଟଣାକୁ ଘଣ୍ଟ ଘୋଡାଇବାକୁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଥିଲା । ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ପୁଣି ଘେରିଲା ବିଜେପି ।

243

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡାର ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ବ୍ୟକ୍ତିଗତା ଶତ୍ରୁତା କାରଣରୁ ନବଙ୍କୁ ଗୋପାଳ ହତ୍ୟା କରିଥିବା ନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି । ନବ ଦାସ ଓ ତାଙ୍କ ସମର୍ଥକଙ୍କ ଠାରୁ ଭୟ ଥିବାରୁ ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିବା କୁହାଯାଇଛି । କିନ୍ତୁ ଏହାକୁ ନେଇ ବିରୋଧୀ ଉଭୟ ସରକାର ଓ କ୍ରାଇମବ୍ରାଞ୍ଚକୁ ପ୍ରଶ୍ନବାଣ ମାରିଛନ୍ତି ।

ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଚାର୍ଜସିଟରେ ହତ୍ୟାର କାରଣ ସ୍ପଷ୍ଟ ନାହିଁ । ନବ ଦାସ ଏବଂ ତାଙ୍କ ଲୋକ ମାନଙ୍କ ପାଖରୁ ଗୋପାଳ ଦାସକୁ ଯଦି ଭୟ ଥିଲା, ତାହେଲେ କଣ ପାଇଁ ଭୟ ଥିଲା ଚାର୍ଜସିଟରେ ଲେଖିନାହାନ୍ତି କ୍ରାଇମବ୍ରାଞ୍ଚ । ଚାର୍ଜସିଟରେ ମିଛ କଥା ସବୁ ଲେଖିଛନ୍ତି । କଣ ଓ କାହିଁକି ଭୟ ଥିଲା ତାହାର ଉତ୍ତର ନାହିଁ । ଗୋପାଳ ଦାସ ଜଣେ ସାଧାରଣ ଲୋକ କି ଅପରାଧୀ ନୁହନ୍ତି । ତାଙ୍କର ମାନସିକ ଭାରସାମ୍ୟ ସ୍ଥିର ଥିଲା ଏବଂ ସେ ଜଣେ କାର୍ୟ୍ୟରତ ପୋଲିସ ଥିଲେ । ଯଦି ପ୍ରି ପ୍ଲାନ୍ କରିଥିଲେ କେବେ ଓ କଣ ପାଇଁ କରିଥିଲେ ? ନିଜ କ୍ୟାରିୟର ଓ ପରିବାରକୁ ଜଳାଞ୍ଜଳି ଦେଇ କାହିଁକି ଏଭଳି କାମ କଲେ ? ସୁସ୍ଥ ମାନସିକତାର ଲୋକ ଥିଲେ ଗୋପାଳ । କିନ୍ତୁ ଏମିତି କାହିଁକି କଲେ ତାହା ସବୁଠୁ ବଡ ପ୍ରଶ୍ନବାଚୀ ।

ପୂରା ଘଟଣାକୁ ଚପାଇବା ଉଦ୍ୟମରେ ଓଡ଼ିଶା ସରକାର ସଫଳ ହେଲା ପରି ଲାଗୁଛି । ଓଡ଼ିଶାବାସୀଙ୍କ ମନରେ ହତ୍ୟା ପଛରେ ଥିବା ସଂପୃକ୍ତିକୁ ନେଇ ପ୍ରଶ୍ନ ହୋଇ ରହିଗଲା । ଘଟଣାକୁ ଘଣ୍ଟ ଘୋଡାଇବାକୁ କ୍ରାଇମବ୍ରାଞ୍ଚକୁ ଯାଞ୍ଚ ଦାୟିତ୍ଵ ଦିଆଯାଇଥିଲା । ଏଥିରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ପ୍ରମାଣ ଅଭାବରୁ ଗୋପାଳ ଦାସଙ୍କୁ ଖସାଇବାକୁ ସଫଳ ହେବେ । ହତ୍ୟା ପଛରେ ବଡ ଧରଣର ଷଡଯନ୍ତ୍ର ରହିଛି । ରାଜ୍ୟ ସରକାର ଖୁଲାସା କରନ୍ତୁ । ଭୟ କଣ ପାଇଁ ଥିଲା ତାହାର ଉତ୍ତର ମଧ୍ୟ ସରକାର ଲୋକଙ୍କ ଆଗରେ ରଖନ୍ତୁ ।