ବିଜେପିକୁ ଆଶ୍ୱସ୍ତ କଲା କର୍ଣ୍ଣାଟକ ଉପନିର୍ବାଚନ ଫଳାଫଳ । ୧୫ରୁ ୧୨ଟି ଆସନରେ ବିଜୟୀ ହେଲା ବିଜେପି ।

308

କନକ ବ୍ୟୁରୋ : କର୍ଣ୍ଣାଟକ ଉପନିର୍ବାଚନ ଫଳାଫଳ ବିଜେପିକୁ ଆଣିଦେଇଛି ଆଶ୍ୱସ୍ତି । ଶାସନରେ ରହିବା ପାଇଁ ବିଜେପିକୁ ଅତି କମରେ ୬ଟି ଆସନରେ ବିଜୟୀ ହେବାର ଆବଶ୍ୟକତା ରହିଥିଲା । ଏପରି ସ୍ଥଳରେ ୧୫ଟି ଆସନରୁ ୧୨ଟିରେ ଦଳ ବିଜୟୀ ହୋଇଛି । ଏହାପରେ ସରକାର ଉପରେ ଦେଖାଦେଇଥିବା ଆଶଙ୍କା ମଧ୍ୟ ଟଳିଯାଇଛି ।

୧୫ଟି ଆସନରେ ହୋଇଥିବା ଉପନିର୍ବାଚନରେ ୧୩ଟି ଆସନରେ କଂଗ୍ରେସ ଓ ଜେଡିଏସରୁ ଆସିଥିବା ଦାଗୀ ବିଧାୟକଙ୍କୁ ମୌକା ଦେଇଥିଲା ବିଜେପି । ଯେଉଁଥିରୁ ୧୨ଟି ଆସନରେ ବିଜୟୀ ହୋଇଛି ଦଳ । ସେପଟେ କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିଥିବା ବେଳେ ଗୋଟିଏ ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏହାସହ ୨୨୨ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ଆସନ ସଂଖ୍ୟା ୧୧୭ରେ ପହଂଚିଛି । କର୍ଣ୍ଣାଟକ ବିଜୟକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କ ସହ କଂଗ୍ରେସ ଓ ଜେଡିଏସ ଏଣିକି ବିଶ୍ୱାସଘାତକତା କରିପାରିବେ ନାହିଁ ବୋଲି କହିଛନ୍ତି ମୋଦି ।

ସେପଟେ ୧୨ଟି ଆସନ ଜିତିଥିବା ବିଧାୟକଙ୍କ ମଧ୍ୟରୁ ୧୧ଜଣଙ୍କୁ ମିଳିବ ମନ୍ତ୍ରୀ ପଦ । ପ୍ରତିଶ୍ରୁତି ମୁତାବକ ସେ ଏହାକୁ ପୂରା କରିବେ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ।

ଉପନିର୍ବାଚନ ଫଳାଫଳରେ ନିରାଶ ହୋଇଛି କଂଗ୍ରେସ । ଦଳ ନିକଟକୁ ଯାଇଛି କେବଳ ୨ଟି ଆସନ । ଏହାସହ ଦଳର ନିରାଶଜନକ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରି କଂଗ୍ରେସ ବିଧାୟକ ଦଳ ନେତା ଓ ବିଧାନସଭାରେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧରମୈୟା । ୧୫ଟି ଆସନରୁ ୧୨ଟି ଆସନରେ ବିଜୟୀ ହୋଇଛି ବିଜେପି । ଏହି ବିଜୟ ସହ ବିଧାନସଭାରେ ବିଜେପି ନମ୍ବର ୧୧୭ହୋଇଥିବା ବେଳେ କଂଗ୍ରେସର ୬୮ ଓ ଜେଡିଏସ ସେହି ସମାନ ୩୪ଟି ଆସନରେ ରହିଛି । ଏହାବାଦ୍ ବିଏସପି ବିଧାୟକ ମଧ୍ୟ ରହିଛନ୍ତି ।