ବ୍ରଜରାଜନଗରରେ ବିଜେପି ନିଶ୍ଚୟ ଜିତିବ । ଲେଖାଶ୍ରୀ କହିଲେ, ବିଜେପିକୁ ଭୋଟ ଦେବାକୁ ମନ ବଳାଇଛନ୍ତି ଭୋଟର ।

307

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରଚାର ମୈଦାନ ଏବେ ଉଠୁଛି ପଡୁଛି । ଘର ଘର ବୁଲି କ୍ୟାମ୍ପେନିଂ କରୁଛନ୍ତି ପ୍ରାର୍ଥୀ । ଲୋକଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଅପିଲ କରିବା ସହ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ଏସବୁ ଭିତରେ ବ୍ରଜରାଜନଗରରେ ବିଜୟ ପାଇଁ ବିଜେପି ବେଶ ଆଶାବାଦୀ ଥିବା ଦେଖିବାକୁ ମିଳିଛି । ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ବିଜେପି ପ୍ରାର୍ଥୀଙ୍କ ପାଇଁ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇବେ । ବ୍ରଜରାଜନଗରରେ ଦିନ ତମାମ ପ୍ରଚାର କରିବେ ଧର୍ମେନ୍ଦ୍ର । ବେଲପାହାଡ ମ୍ୟୁନିସିପାଲିଟି, ବ୍ରଜରାଜନଗର ମ୍ୟୁନିସିପାଲିଟି ଓ ଲଖନପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ରୋଡ ସୋ ଓ ସାଧାରଣ ସଭା ମାଧ୍ୟମରେ ପ୍ରଚାର କରିବେ ଧର୍ମେନ୍ଦ୍ର । ଏହାଛଡା ନିର୍ବାଚନ ପୂର୍ବରୁ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସମେତ ଦଳର ଅନ୍ୟ ନେତା ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବେ ।

ଏହାବାଦ୍ ଲେଖାଶ୍ରୀ କହିଛନ୍ତି ଚଳିତ ନିର୍ବାଚନରେ ଅନେକ ଗୁଡିଏ ମୁଦ୍ଦା ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛି ଦଳ । ଯେଉଁଥିରେ ବିଜେଡିର ୨୨ ବର୍ଷର ବିଫଳତା ଲୋକଙ୍କ ସାମ୍ନାରେ ରଖିବ ଦଳ । ଲେଖାଶ୍ରୀ କହିଛନ୍ତି, ଗତ ୨୨ ବର୍ଷ ଧରି ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭଣ୍ଡାଯାଇଛି । କେନ୍ଦ୍ର ଯୋଜନାକୁ ହରିଲୁଟ୍ କରାଯାଉଛି । ଯାହାର ସତ୍ୟତା ଲୋକଙ୍କ ସାମ୍ନାରେ ରଖିବ ଦଳ ।  ଏହାଛଡା  ସବକା ସାଥ, ସବକା ବିକାଶ, ସବକା ପ୍ରୟାସ, ସବକା ବିଶ୍ୱାସ ଏହି ନାରା ନେଇ ଲୋକଙ୍କ ପାଖକୁ ଯିବ ଦଳ ।

ଯେହେତୁ ପୂର୍ବରୁ ଦଳ ଏଠାରେ ବିଜୟୀ ହୋଇଛି । ତେଣୁ ଲୋକଙ୍କ ସମର୍ଥନ ବିଜେପି ସହ ରହିଛି । ପୂର୍ବରୁ ବିଧାୟିକା ଭାବେ ରାଧାରାଣୀ ଅନେକ କାମ କରିଛନ୍ତି, ବିଭିନ୍ନ ସମସ୍ୟା ସମୟରେ ଲୋକଙ୍କ ସହ ଛିଡା ହୋଇଛନ୍ତି । ତେଣୁ ରାଧାରାଣୀଙ୍କ ସପକ୍ଷରେ ଲୋକେ ନିଶ୍ଚୟ ଭୋଟ ଦେବେ । ଏଠାରେ ସଙ୍ଗଠନ ସୁଦୃଢ ରହିଛି, ବିଜେପି ନିଶ୍ଚୟ ଭଲ ପ୍ରଦର୍ଶନ କରିବ ଏବଂ ବିଜୟୀ ମଧ୍ୟ ହେବ ।