କନକ ବ୍ୟୁରୋ : ଆଗକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ଏହାକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳ ସେମାନଙ୍କର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିଜେପି କିନ୍ତୁ ନିଆରା ରଣନୀତି ଆପଣାଇଛି । ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏହି ତାଲିକାରେ କିଛି କେନ୍ଦ୍ରମନ୍ତ୍ରୀଙ୍କ ସମେତ କିଛି ସାଂସଦଙ୍କର ନାମ ରହିଛି । ଯେଉଁମାନେ କି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।

Advertisment

ଏହାକୁ ନଜରରେ ରଖି ବିଜେପି ରାଜସ୍ଥାନ ପାଇଁ ମଧ୍ୟ ସମାନ ନୀତି ଆପଣାଇବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ରାଜସ୍ଥାନରେ ବିଜେପିର ବରିଷ୍ଠ ନେତ୍ରୀ ବସୁନ୍ଧରାରାଜେ ସିନ୍ଧିଆ ଅସନ୍ତୁଷ୍ଟ ରହିଥିବା ବେଳେ କଂଗ୍ରେସର ସରକାର ରହିଛି । ଏସବୁକୁ ସମ୍ନା କରିବାକୁ ବିଜେପି ତରଫରୁ କିଛି କେନ୍ଦ୍ରମନ୍ତ୍ରୀ ଓ କିଛି ସାଂସଦଙ୍କୁ ବିଧାୟକ ଭାବେ ପ୍ରାର୍ଥୀ କରିପାରେ ଦଳ । ଏହାଯଦି ହୁଏ ତେବେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଗଜେନ୍ଦ୍ରସିଂ ଶେଖାୱତ ଓ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଧାନସଭା ପ୍ରାର୍ଥୀ ହୋଇପାରନ୍ତି ।

ଯଦି ସାଂସଦଙ୍କ କଥା କହିବା ତେବେ ନିର୍ବାଚନରେ ବିଜୟକୁ ସୁନିଶ୍ଚିତ କରିବାକୁ ବିଜେପି ରାଜସ୍ତାନରେ କେନ୍ଦ୍ରୀୟ କୃଷି ରାଜ୍ୟମନ୍ତ୍ରୀ କୈଲାଶ ଚୌଧୁରୀ, ସାଂସଦ ରାଜବର୍ଦ୍ଧନସିଂ ରାଠୋଡ, ସାଂସଦ କରୋଡି ଲାଲ ମୀଣା, ସାଂସଦ ସ୍ୱାମୀ ସୁମେଧ୍ୟାନନ୍ଦ ଓ ସାଂସଦ ସୁଖବୀର ସଂ ଜୌନପୁରୀଙ୍କୁ ଟିକେଟ ଦେଇପାରେ । ଏନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବୁଧବାର ରାତିରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ବିଜେପି କାହିଁକି ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢାଇବାକୁ ଯାଉଛି ଯଦି ଆଲୋଚନା କରିବା ତେବେ ଜଣେ ସାଂସଦଙ୍କର ପ୍ରଭାବ ୫ ରୁ ୭ଟି ବିଧାନସଭା କ୍ଷେତ୍ରରେ ରହିଛି । ତେଣୁ ଜଣେ ସାଂସଦ ବିଧାୟକ ପ୍ରାର୍ଥୀ ହେଲେ ସଂସଦ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ତାଙ୍କର ପ୍ରଭାବ ରହିବ । ତେଣୁ ଜଣେ ସାଂସଦଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଳାଇ ବିଜେପି ପୂରା ସଂସଦୀୟ କ୍ଷେତ୍ରରେ ସଫଳତା ହାସଲ କରିବାକୁ ଚେଷ୍ଟା କରୁଛି ।