କନକ ବ୍ୟୁରୋ: ରାଜ୍ୟରେ ସରକାର ଗଠନ ପରେ ଏବେ ପଞ୍ଚାୟତ ଓ ଏନଏସି ଦଖଲ ଅଭିଯାନ ଆରମ୍ଭ କରିଛି ବିଜେପି। ତୃଣମୂଳସ୍ତରରେ ସଙ୍ଗଠନକୁ ସଙ୍ଗଠିତ କରିବାକୁ ଦଳ ପ୍ରୟାସ ଆରମ୍ଭ କରିଥିବା ବେଳେ ଅନାସ୍ଥା ଜରିଆରେ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛି ଶାସକ ଦଳ। ବିଭିନ୍ନ ବ୍ଲକ, ଏନଏସି ଓ ମ୍ୟୁନିସପାଲିଟିରେ ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥାକୁ ବିଜେପି ଅସ୍ତ୍ର କରିଥିବା ଚର୍ଚ୍ଚା ହେଉଛି।

ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ଓ ବିଜେଡିର ପରାଜୟ ପରେ ଏବେ ଅଧିକାଂଶ ଜିଲ୍ଲାରେ ଅନାସ୍ଥା ପର୍ବ ଆରମ୍ଭ ହୋଇଛି। ପଞ୍ଚାୟତ ଓ ଏନଏସି ସ୍ତରରେ ବିଜେଡି ଗଡ ଭେଦିବାକୁ ବିଜେପି ମାପିଚୁପି ଗୋଟି ଚାଳନା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ତୃଣମୂଳସ୍ତରରେ ବିଜେଡି ଦୁର୍ଗ ଭାଙ୍ଗିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି । ଅନ୍ୟପଟେ ଦଳ ଭିତରେ ଥିବା ଅନ୍ତଃକନ୍ଦଳ ବିଜେଡି ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି ।

  • ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଛନ୍ତି ବିଜେଡି କାଉନସିଲର
  • ସନ୍ତୋଷ ଖଟୁଆ ବିଧାୟକ ନିର୍ବାଚିତ ହେବା ପରେ ବଦଳିଛି ସମୀକରଣ
  • ଭବାନୀପାଟଣା ପୌରାଧ୍ୟକ୍ଷାଙ୍କ ବିରୋଧରେ ବିଜେଡି କାଉନସିଲରଙ୍କ ଅନାସ୍ଥା
  • ସୁନାବେଡା ପୌରପାଳିକା ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ବିରୋଧରେ ବିଜେଡି କାଉନସିଲରଙ୍କ ଅନାସ୍ଥା
  • ରସୁଲପୁର ଓ ଧର୍ମଶାଳାରେ ବିଜେଡି ସମର୍ଥିତ ସମିତିସଭ୍ୟ ଓ ସରପଞ୍ଚ ବିଜେପିରେ ସାମିଲ
  • ଖୁବଶୀଘ୍ର ଏହି ଦୁଇ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଆସିପାରେ ଅନାସ୍ଥା

ଏହି ସବୁ ଆସନକୁ ବିଜେପି ଅକ୍ତିଆର କରିବାକୁ ଯୋଜନା କରୁଥିବା ବେଳେ ବିଜେଡି ମଧ୍ୟ ନିଜ ରଣନୀତିକୁ ଶାଣିତ କରିଛି।

  • ଫୁଲବାଣୀ ବିଜେପି ପୌରାଧ୍ୟକ୍ଷାଙ୍କୁ ଅନାସ୍ଥାରେ ମାତ୍ ଦେଇଛି ବିଜେଡି
  • ବିଜେପି ଦଖଲରେ ଥିବା ଜୁନାଗଡ ଏନଏସିକୁ ଅକ୍ତିଆର କରିବାକୁ ବିଜେଡିର ରଣନୀତି
  • ନଗରପାଳ ମୁକେଶ ଅଗ୍ରୱାଲଙ୍କ ନାଁରେ ଅନାସ୍ଥା ଆଣିଛନ୍ତି ବିଜେଡି କାଉନସିଲର

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି। ଉଭୟ ବିଜେଡି ଓ ବିଜେପି ପାଇଁ ଏହା ଅଗ୍ନିପରୀକ୍ଷା ଠାରୁ ମଧ୍ୟ କମ ନୁହେଁ। ତେଣୁ ତୃଣମୂଳସ୍ତରରେ ନିଜର ସାଙ୍ଗଠନିକ ଶକ୍ତି ବୃଦ୍ଧି କରିବାକୁ ଉଭୟ ଦଳ ଢେର ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।