ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିଫଳତାକୁ ନେଇ ବର୍ଷିଲା ବିଜେପି । କହିଲା ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟିଂ,ଟ୍ରେସିଂ ଏବଂ ଟ୍ରିଟମେଣ୍ଟକୁ ଅନୁଶୀଳନ କରିବାରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଫଳ

329

କନକ ବ୍ୟୁରୋ : ଓଡିଶାରେ କରୋନା ସ୍ଥିତି ଦିନକୁ ଦିନ ବେହାଲ ହେବାରେ ଲାଗିଛି । ବିଶେଷ ଭାବେ ପଶ୍ଚିମ ଓଡିଶାରେ ସ୍ଥିତି ପୁରା ସଂଗୀନ ହୋଇଛି । ଏଭଳି ସ୍ଥଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଲେନ୍ସ ଲଗାଇ ଖୋଜିବାକୁ ପଡୁଛି ବୋଲି ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟିଂ,ଟ୍ରେସିଂ ଏବଂ ଟ୍ରିଟମେଣଣ୍ଟକୁ ଅନୁଶୀଳନ କରିବାରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଫଳ  ହୋଇଛନ୍ତି ।

ଶ୍ରୀ ତ୍ରିପାଠୀ କହିଥିଲେ କି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ କୋଭିଡ ପରିଚାଳନା ଦାୟିତ୍ୱରେ ରହିଛି । ମାତ୍ର ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ନବ ଦାସଙ୍କୁ ଲେନ୍ସ ଲଗାଇ ଖୋଜିଲେ ବି ମିଳୁ ନାହାନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଥିଲେ କି ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ କୁ ଗୁୁରୁତ୍ୱ ଦେଲେ ସହଜରେ କରୋନାକୁ ହରାଇ ହେବ । ହେଲେ ଏସବୁକୁ ଗୁରୁତ୍ୱ ଦେଉନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ସେ ଅଭିଯୋଗ କରିଛନ୍ତି କି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଝାରସୁଗୁଡା ଓ ପଡୋଶୀ ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ନୂଆପଡା ଓ ବଲାଙ୍ଗିରରେ କୋଭିଡ୍ ସ୍ଥିତି ସଂଗୀନ ରହିଛି । ଏଭଳି ସ୍ଥଳେ ସେଠାରେ ଟେଷ୍ଟିଂ ରିପୋର୍ଟ ପାଇବା ପାଇଁ ୪ ଦିନ ସମୟ ଲାଗୁଛି । ଆରଟିପିସିଆର ଟେଷ୍ଟ କମ ହେଉଥିବା ବେଳେ ପଶ୍ଚିମ ଓଡିଶାର କେବଳ ବୁର୍ଲା ଓ ରାଉରକେଲାରେ ଟେଷ୍ଟିଂ ସୁବିଧା ରହିଛି । ଫଳରେ ଗୋଟିଏ ଲୋକର ସାମ୍ପୁଲ ଆସି ରିପୋର୍ଟ ପହଂଚାଇବାକୁ ୭୨ ଘଂଟାରୁ କମ୍ ସମୟ ଲାଗୁ ନାହିଁ । ଏନେଇ ସେ ମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗିଛନ୍ତି ।

ଟେଷ୍ଟିଂ କମ୍ ହେଉଥିବାରୁ ଟ୍ରେସିଂ ହୋଇପାରୁ ନାହିଁ । ଫଳରେ କରୋନାରେ ସଂକ୍ରମିତ ହେବା ପରେ ବି ରୋଗୀ ଜାଣି ନପାରି ଖୋଲାରେ ବୁଲୁଛି ଓ ଅନ୍ୟମାନଙ୍କୁ ସଂକ୍ରମିତ କରୁଛି । ଅନ୍ୟପଟେ ପଶ୍ଚିମ ଓଡିଶାରେ ଟ୍ରିଟମେଣ୍ଟର ଭିତ୍ତିଭୂମି ନାହିଁ, ମେଡିକାଲରେ ବେଡର ବ୍ୟବସ୍ଥା ନାହିଁ, ଭେଣ୍ଟିଲେଟର ନାହିଁ । ଆବଶ୍ୟକ ତୁଳନାରେ ଅକ୍ସିଜେନ ବି ନାହିଁ । ଏହାସହ ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ଗାଇଡଲାଇନର ଉଲଙ୍ଘନ ହେଉଛି ।
ରାଜ୍ୟରେ ପ୍ରତିଦିନ ଜିଲ୍ଲା ୱାରୀ କେତେ ସଂଖ୍ୟକ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ ହେଉଛି ? ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ କେତେ ବେଡ, ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନ ଉପଲବ୍ଧ ରହିଛି ସେ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।