କନକ ବ୍ୟୁରୋ : ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳିର ଭିମଟାଙ୍ଗିରେ ପ୍ରବାଦ ପୁରୁଷ ଶ୍ୟାମା ପ୍ରସାଦ ମୁଖାର୍ଜିଙ୍କ ଜନ୍ମତିଥୀରେ ରାଜ୍ୟ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ସାରା ରାଜ୍ୟରେ ବିଜେପିର ଏହି ସଦସ୍ୟତା ଅଭିଯାନକୁ ସଠିକ୍ ଭାବରେ କ୍ରିୟାନ୍ୱିତ କରିବା ସହ ବ୍ୟାପକ କରାଯିବ । ‘ସଦସ୍ୟତା ସଂଗ୍ରହ ଅଭିଯାନ’ରେ ପ୍ରତି ବୁଥରେ ୫ଟି ଗଛ ଲଗାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରାଜ୍ୟରେ ନୂତନ ସଦସ୍ୟତା କରାଯାଇ ବିଜେପିର ସଭ୍ୟ ସଂଖ୍ୟାକୁ ୫୦ ଲକ୍ଷରେ ପହଂଚାଯିବାର ଲକ୍ଷ୍ୟ ରଖାଯାଇଛି ।
ସେହିପରି ଗୋଟିଏ ଟିମ୍ ଗୋଟିଏ ଲକ୍ଷ୍ୟ ରଖି ସଦସ୍ୟତା ଅଭିଯାନକୁ ସଫଳ କରାଇବାର ସଂକଳ୍ପ ନିଆଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୧୬୪୯ ବୁଥରେ ସଦସ୍ୟତା ଅଭିଯାନକୁ ଆଗକୁ ନେବାସହ ସମସ୍ତ ବର୍ଗର ଲୋକମାନଙ୍କୁ ବିଜେପି ସହ ଯୋଡାଯିବ । ଚଳିତ ବର୍ଷ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଏଥି ସହ ନିଜ ମୋବାଇଲ ନମ୍ବରରୁ ‘୮୯୮୦୮୦୮୦୮୦’ ନମ୍ବରରେ ମିସ୍ କଲ୍ ଦେଇ ସଦସ୍ୟତା ଗ୍ରହଣ କରିପାରିବେ । ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ ଜଣ ସଦସ୍ୟତା ନେଇପାରିବେ । ନରେନ୍ଦ୍ର ମୋଦି ଆପକୁ ଯାଇ ମଧ୍ୟ ସାଧାରଣ ଲୋକ ସଦସ୍ୟତା ନେଇ ପାରିବେ । ଟୁଇଟର ଏବଂ ୱେବସାଇଟ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିହେବ ।