ସୁବାସଙ୍କ ସମର୍ଥନରେ ବାହାରିଲା ବିଜେପି । କହିଲା, ଗୃହରେ ସୁବାସ ଯାହା କରିଛନ୍ତି ଠିକ୍ କରିଛନ୍ତି , ଚାଷୀଙ୍କ ସହ ପ୍ରତାରଣା କରିଥିବାରୁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ।

114

କନକ ବ୍ୟୁରୋ : ସୁବାସଙ୍କ ସମର୍ଥନରେ ବାହାରିଲା ଦଳ । ବିଜେଡି ସୁବାସଙ୍କୁ ଟାର୍ଗେଟ କରିବା ପରେ ଏବେ ତାଙ୍କ ସମର୍ଥନରେ ବାହାରିଛି ଦଳ । ଚାଷୀଙ୍କ ହିତ ପାଇଁ ବିଧାନସଭା ଭିତରେ ସୁବାସ ଯାହା କରିଛନ୍ତି ଠିକ୍ କରିଛନ୍ତି, ଦଳ ତାଙ୍କ ସହ ରହିଛି ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ମଣ୍ଡିରେ ମାସ ମାସ ଧରି ଚାଷୀଙ୍କ ଧାନ ପଡ଼ିରହୁଛି । ମନ୍ତ୍ରୀ ଏ ନେଇ ପ୍ରତିଶୃତି ମଧ୍ୟ ଦେଇଥିଲେ ଧାନ ଉଠିବ ବୋଲି, କିନ୍ତୁ ବିଭିନ୍ନ ସ୍ଥାନରେ ଧାନ ଉଠୁନଥିବା ଅଭିଯୋଗ ହେଉଛି । ତେଣୁ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଗୃହ ଭିତରେ ଯାହା କରିଛନ୍ତି ଠିକ୍ କରିଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।

ମୁଖ୍ୟମନ୍ତ୍ରୀ ବିଧାନସଭା ଠାରୁ ଦେଢ଼ କିଲୋମିଟର ଦୂରରେ ରହୁଛନ୍ତି ହେଲେ ବଜେଟ ଅଧିବେଶନକୁ ଆସିଲେ ନାହିଁ ଏହା ବିରଳ କଥା । ୬୦୦ କିଲୋମିଟର ଦୂରରେ ଦଳୀୟ ସଭାରେ ଯୋଗ ଦେଇପାରିଲେ କିନ୍ତୁ ଦେଢ କିଲୋମିଟର ଦୂରରେ ଥିବା ବିଧାନସଭାକୁ ଆସିଲେନି । ଏହା ଠାରୁ ବଡ ବିରଳ ଘଟଣା କଣ ହୋଇପାରେ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ତଥାପି ଆସି ବିଧାନସଭା କାର୍ଯ୍ୟରେ ଯୋଗ ଦେଉଛନ୍ତି । ଶିମିଳିପାଳରେ ନିଆଁ ଲାଗିଥିବା ବେଳେ ବିଜେଡିର ନେତା ବାରିପଦାରେ କ୍ରିକେଟ ଖେଳୁଥିଲେ, ଏହାଠାରୁ ବଡ ବିରଳ ଘଟଣା ହୋଇପାରେ । ଚାଷୀଙ୍କ ସହ ପ୍ରତାରଣା କରିଥିବାରୁ ମୁଖ୍ୟମନ୍ତ୍ରୀ ଆଗ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ।

ଓଡିଶାର ସରକାର କଣ ରାଜ୍ୟକୁ ଏଭଳି ସ୍ଥିତିକୁ ନେଇ ଗଲେଣି ଯେ ଓଡିଶାବାସୀ ଘରେ ଘରେ ଆତ୍ମହତ୍ୟା କରିବେ । ରାଜ୍ୟ ସରକାର ନିଜ ଦାୟିତ୍ୱ ମୁଣ୍ଡରୁ ଓହ୍ଲାଇ ପାରିବେ ନାହିଁ, ଚାଷୀଙ୍କ ଧାନ ଉଠିବ ଆଉ ତାହା ବି ପୁଣି ସରକାରଙ୍କ ଦ୍ୱାରା । ଯିଏ ଟୋକନ ପାଇଥାଉ ବା ନ ପାଇଥାଉ ସମସ୍ତଙ୍କର ଧାନ ଉଠିବ, ଏ ଦାୟିତ୍ୱ ରାଜ୍ୟ ସରକାର ନ ନେବା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ପ୍ରତିବାଦ ଜାରି ରହିବ । ଯଦି ଚାଷୀଙ୍କ ଧାନ ନ ଉଠେ ତେବେ ଆହୁରି ପ୍ରତିବାଦ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ବିଜେପି ।