ଦିଗଗଜ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ । ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଲେ ସୂଚନା

58

କନକ ବ୍ୟୁରୋ : ବିଜେପିର ବରିଷ୍ଠ ନେତା, ଭାରତର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକ୍ରିଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ – ଭାରତ ରତ୍ନ । ଏ ନେଇ ଘୋଷଣା କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଡଭାନୀଙ୍କ ଉଦ୍ଦେଶ୍ୟରେ ସୋସିଆଲ୍ ମିଡିଆ ‘ଏକ୍ସ’ରେ ମୋଦୀ ଲେଖିଛନ୍ତି – ‘ସେ ହେଉଛନ୍ତି, ଆମ ସମୟର ସବୁଠୁ ଅଧିକ ସମ୍ମାନନୀୟ ଜନନେତା । ଭାରତର ବିକାଶ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ । ତୃଣମୂଳ ସ୍ତରରୁ ରାଜନୈତିକ ଜୀବନ ଆରମ୍ଭ କରି ସେ ଉପ-ପ୍ରଧାନମନ୍ତ୍ରୀ ଭାବେ ଦେଶର ସେବା କରିଛନ୍ତି । ତାଙ୍କୁ ଭାରତ ରତ୍ନ ଦିଆଯିବ, ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ।’ ସମ୍ବଲପୁର ଗସ୍ତ ଅବସରରେ ମଧ୍ୟ ଏହି କଥା ଦୋହରାଇଛନ୍ତି ମୋଦୀ ।

ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଦଳମତ ନିର୍ବିଶେଷରେ ଏହାକୁ ସ୍ୱାଗତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନସିପି ସୁପ୍ରିମୋ ଶରଦ ପାୱାର, ବରିଷ୍ଠ ନେତା କପିଲ ସିବଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ।

ରାମ ମନ୍ଦିର ଆନ୍ଦୋଳନରୁ ବିଜେପିକୁ ଶୂନ୍ୟରୁ ଶିଖରରେ ପହଁଚାଇଥିଲେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ୧୯୯୦ରୁ ଆରମ୍ଭ ହୋଇଥିଲା ଆଡଭାନୀଙ୍କ ଏହି ଯାତ୍ରା   । ସୋମନାଥ ମନ୍ଦିରରୁ ଅଯୋଧ୍ୟା ପର୍ଯ୍ୟନ୍ତ ଆଡଭାନୀଙ୍କ ରଥଯାତ୍ରା, ଭାରତୀୟ ରାଜନୀତିର ମୋଡ ବଦଳାଇ ଦେଇଥିଲା । ତାଙ୍କର ଓଜସ୍ୱିନୀ ଭାଷଣ ଜନମାନସରେ ବେଶ ପ୍ରଭାବ ପକାଉଥିଲା । ନିଜ ରାଜନୈତିକ ଜୀବନରେ ଅନେକ ସଫଳତା ପାଇଛନ୍ତି ଆଡଭାନୀ ।

ଆଡଭାନୀଙ୍କୁ ଭାରତ ରତ୍ନ
– ୧୯୭୭ ଜନତା ପାର୍ଟି ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ
– ବିଭିନ୍ନ ସମୟରେ ୧୧ ବର୍ଷ ଧରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ
– ୭ ଥର ସାଂସଦ ଭାବେ ନିର୍ବାଚିତ
– ଲୋକସଭାରେ ବିରୋଧୀ ଦଳ ନେତା
– ବାଜପେୟୀଙ୍କ ସରକାରରେ ଗୃହମନ୍ତ୍ରୀ ଓ ଉପ-ପ୍ରଧାନମନ୍ତ୍ରୀ
– ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ