ମଣ୍ଡିରେ ଚାଷୀର ଧାନ ନଉଠିବାରୁ ବଢିଲା ଅସନ୍ତୋଷ । ବରଗଡ଼ରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାନ ଛାଡ଼ି ଚାଲିଆସିଲେ ଚାଷୀ, ମୁହାଁମୁହିଁ ହେଲେ ଶାସକ ବିରୋଧୀ ।

85

କନକ ବ୍ୟୁରୋ : ଚାଷୀ ପ୍ରସଙ୍ଗ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି । ମଣ୍ଡିରୁ ଧାନ ଉଠୁନଥିବାବେଳେ, ଚାଷୀଙ୍କ ଟୋକନ ଅବଧି ଲାପ୍ସ କରିଯାଇଛି । ଏଭଳି ସ୍ଥିତିରେ ମଣ୍ଡିରୁ ଧାନ ଉଠାଇବାକୁ, ରାଜ୍ୟ ସରକାର ଧାନ କିଣା ଅବଧି ବଢ଼ାଇବା ପାଇଁ ଚିଠି ଲେଖନ୍ତୁ ବୋଲି ଦାବି କରିଛି । ସେପଟେ ବିଜେଡି କହିଛି, ଦୋଷ ଲୁଚାଇବା ପାଇଁ ଆନ୍ଦୋଳନ କରୁଛି ବିଜେପି ।

ଧାନ ବିକ୍ରିକୁ ନେଇ ଚାଲିଥିବା ରାଜନୀତି ଭିତରେ ବରଗଡ଼ରୁ ଆସିଥିବା ଚିତ୍ର, ଏଭଳି କିଛି କାହାଣୀ ବୟାନ କରୁଛି, ଯାହା ଚାଷୀର ଅସହାୟତା ଓ ପ୍ରତିବାଦକୁ ସୂଚାଉଛି । ଟୋକନ୍ ଅବଧି ସରିଗଲା, ଧାନ କିଣା ଅବଧି ବି ଚାଲିଗଲା । ହେଲେ ନା ଧାନ ଉଠିଲା, ନା’ ଚାଷୀର ଦୁଃଖ ଗଲା । ଏଭଳି ସ୍ଥିତିରେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାନ ଛାଡ଼ି ଘରକୁ ଚାଲିଗଲେ ଚାଷୀ ।

ଚାଷୀ କାନ୍ଦୁଛି, ରାଜନୀତି ତେଜୁଛି । ମୁହାଁମୁହିଁ ଶାସକ ବିରୋଧୀ । ଚାଷୀ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି । ଓଡ଼ିଶାରେ ଟୋକନ୍ ବ୍ୟବସ୍ଥା ସଂପୂର୍ଣ୍ଣ ବିଫଳ ହୋଇଥିବା ବିଜେପି ଅଭିଯୋଗ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ଚକାଜାମ୍ ଆନ୍ଦୋଳନ କରିଛି । ଚାଷୀଙ୍କ ଧାନ ଉଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପାଇଁ ଦାବି କରିଥିବା ବେଳେ ମଣ୍ଡି ଅବ୍ୟବସ୍ଥା ପାଇଁ କେନ୍ଦ୍ରକୁ ଦୋଷ ଠେଲିଛି ବିଜେଡି ।

ରାଜନୀତିର ଏହି ବୟାନବାଜି ଭିତରେ ଧାନ କିଣାର ଅବଧି ସରିଯାଇଛି । ଆଉ ଏଭଳି ସ୍ଥିତିରେ ମଣ୍ଡିରେ ଗଦା ହୋଇଥିବା ଧାନ ବିକ୍ରି ହେବ କେମିତି ତାକୁ ନେଇ ଚିନ୍ତାରେ ରାଜ୍ୟର ଚାଷୀ ।