କନକ ବ୍ୟୁରୋ : ମହାପ୍ରଭୁ ଲିଙ୍ଗରାଜଙ୍କ ଜମି ହଡ଼ପ ଘଟଣାକୁ ନେଇ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଥିବା ଲିଙ୍ଗରାଜଙ୍କ ୧ ଏକର ୧୧୫ ଡ଼ିସିମିଲ ମୁଲ୍ୟବାନ ଜମି ହଡ଼ପ ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି । ବେଆଇନ ଭାବେ ଦଖଲ ଓ ନିର୍ମାଣ କାର୍ଯ୍ୟ ବିରୁଦ୍ଧରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ହାତରେ ପୋଷ୍ଟର ବ୍ୟାନର ଓ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିଜେପି କର୍ମୀ ।

Advertisment

ଜାଗା ଉପରେ ୧୪୪ ଧାରା ଜାରି କରିବା ପାଇଁ ଅତିରିକ୍ତ ପୁଲିସ କମିସନରଙ୍କ କୋର୍ଟରେ ଆବେଦନ କରିବାକୁ ଗତକାଲି ତହସିଲଦାର ଲିଙ୍ଗରାଜ ମନ୍ଦିରର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଥିଲେ । ଏହି ଚିଠିକୁ ଆଧାର କରି ନିର୍ବାହୀ ଅଧିକାରୀ ଅତିରିକ୍ତ ପୁଲିସ କମିସନରଙ୍କ କୋର୍ଟରେ ଆବେଦନ କରିବା ପରେ ଗତକାଲି ସନ୍ଧ୍ୟାରେ ୧୪୪ ଧାରା ଜାରି କରାଯାଇଛି । ଏ ନେଇ ଏୟାରପୋର୍ଟ ଥାନାକୁ କୋର୍ଟରୁ ସୂଚନା ଆସିବା ପରେ ସମ୍ପୃକ୍ତ ଜମି କିଣିଥିବା କିରୁଥିକା ପ୍ରଭାକରନ୍‌ଙ୍କୁ ଆଜି ରାତିରେ ନୋଟିସ୍‌ ଜାରି କରାଯାଇଥିବା ପୁଲିସ ଇନ୍‌ସ୍‌ପେକ୍ଟର ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୭ ତାରିଖରେ ରହିଛି ।

ଅନ୍ୟପଟେ କିରୁଥିକା ପ୍ରଭାକରନ୍‌ କହିଛନ୍ତି, ସେ ଜାଗାକୁ କିଣିଛନ୍ତି। ସରକାରୀ ଅଧିକାରୀ ହିଁ କିଣାବିକା କରିଛନ୍ତି। ଏଣୁ ଏଥିରେ ତାଙ୍କର କିଛି ଦୋଷ ନାହିଁ। ଏହି ଜମିକୁ ନେଇ ଏକ ବିବରଣୀ ସେ ହୋର୍ଡିଂ ଜରିଆରେ ଘଟଣାସ୍ଥଳରେ ପ୍ରଦର୍ଶିତ କରାଇଛନ୍ତି। ଏହି ବିବରଣୀ ମୁତାବକ, ୧୯୮୯ ଏପ୍ରିଲ ୧୦ ତାରିଖରେ ଭୀମପୁର ମୌଜା ଖାତା ନଂ ୪୩୩ ପ୍ଲଟ୍‌ ନଂ ୮୫୨ରେ ଥିବା ୪୭୨ ଡିସିମିଲ ଜମିରୁ ୨୨୮ ଡିସିମିଲ ଜମି ମାଲିକ ଘନ ପ୍ରଧାନ ପ୍ରଶାନ୍ତ ବିଶ୍ବାଳଙ୍କୁ ବିକ୍ରି କରିଥିଲେ। ପ୍ରଶାନ୍ତ ଏହି ଜାଗାକୁ ୧୯୯୨ରେ ପୁରୀ ବାଲିସାହିର ଶଶୀକଳା ସଙ୍କୁ ବିକି ଦେଇଥିଲେ। ୧୯୯୭ରେ ଶଶୀକଳା ଏହି ଜମିକୁ ଲକ୍ଷ୍ମୀସାଗରର ହୃଶିକେଷ ଦାସଙ୍କୁ ବିକି ଦେଇଥିଲେ। ମାର୍ଚ୍ଚ ୧୦ ତାରିଖରେ ଭୁବନେଶ୍ବର ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ

ଏହାର ସେଲ୍‌ଡିଡ୍‌ ପଞ୍ଜୀକୃତ ହୋଇଥିଲା। ତହସିଲଦାରଙ୍କ କୋର୍ଟରେ ଶଶୀକଳାଙ୍କ ନାମରୁ ଖାରଜ ହୋଇ ହୃଷିକେଶଙ୍କ ନାମରେ ଦାଖଲ(ମ୍ୟୁଟେସନ କେସ୍‌ ନଂ-୨୫୮୩/୯୭) ହୋଇଥିଲା। ପୂର୍ବରୁ ଜମିର କିସମ ସାରଦ ଥିଲା। ତହସିଲଦାରଙ୍କ କୋର୍ଟରେ ହୃଷିକେଶ ଏହାର କିସମକୁ ‘ଘରବାରି’କୁ ପରିବର୍ତ୍ତନ କରିଥିଲେ। ଏ ସମସ୍ତ କାରବାର ଆଇନ କାନୁନ୍‌ ମୁତାବକ ହୋଇଥିଲା। ହୃଷିକେଶ ଜମିରେ ଶାନ୍ତିପୂର୍ଣ୍ଣ ଦଖଲରେ ଥିବା ବେଳେ ଗତ ବର୍ଷ ନଭେମ୍ବର ମାସରେ କିରୁଥିକା ପ୍ରଭାକରନ୍‌ ଏହି ଜମି(ହାଲ୍‌ ପ୍ଳଟ୍‌ ନଂ ୮୫୨/୨୫୩୭)କୁ କିଣିଥିଲେ। କିଣିବା ପୂର୍ବରୁ କିରୁଥିକା ଜମିର ବିବରଣୀ ଯାଞ୍ଚ କରିଥିଲେ। ଯେହେତୁ ସମସ୍ତ କାରବାର ଆଇନକାନୁନ୍‌ ଆଧାରରେ ହୋଇଥିଲା ସେଥିପାଇଁ ସେ କିଣିଥିଲେ। ଏବଂ କିଣିବା ଦିନରୁ ସେ ଏହି ଜମି ଉପରେ ବର୍ଷେ ହେବ ଦଖଲରେ ଅଛନ୍ତି।