କନକ ବ୍ୟୁରୋ: ୫-ଟି ସଚିବଙ୍କ ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସାଧାରଣରେ ଆଲୋଚନା ହେଉଥିବାବେଳେ, ହେଲିକପ୍ଟରରେ ଗସ୍ତକୁ ନେଇ ବଡ ଅଭିଯୋଗ ଆଣିଛି ବିଜେପି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ତଥ୍ୟକୁ ଦେଖାଇବା ସହ ସଚିବ ବ୍ୟକ୍ତିଗତ ପାଇଁ ହେଲିକପ୍ଟର ବ୍ୟବହାର କରିଥିବା ଅଭିଯୋଗ କରିଛି ଦଳ । ତେବେ କମ୍ ସମୟରେ ଅଧିକ କାମ କରିବା ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରୁଛନ୍ତି ବୋଲି ସଫେଇ ଦେଇଛନ୍ତି ବିଜେଡି ବିଧାୟକ ।

Advertisment

ଜିଲ୍ଳାରୁ ଜିଲ୍ଳା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ହେଲିକପ୍ଟର ଉଡାଣକୁ ନେଇ ସୃଷ୍ଟି ହୋଇଛି ବଡ ବିବାଦ । ସୂଚନା ଅଧିକାର ଆଇନ ବଳରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରୁ ମିଳିଥିବା ତଥ୍ୟକୁ ଆଧାର କରି ସାଂଘାତିକ ଅଭିଯୋଗ ଆଣିଛି ବିଜେପି ।

  • ‘ହେଲିକପ୍ଟରରେ ଭୋଜି ଖାଇବାକୁ ଯାଇଥିଲେ ସଚିବ’
  • ‘ହେଲିକପ୍ଟର ବୁଲାରେ ଖର୍ଚ୍ଚ କରିଛନ୍ତି ୫ଶହ କୋଟି’

ଜାନୁଆରୀ ପହିଲାରୁ ଜୁନ ୨୯ ତାରିଖ ୬ମାସ ଭିତରେ ୫-ଟି ସଚିବ ବିଭିନ୍ନ ସ୍ଥାନକୁ ହେଲିକପ୍ଟରରେ ଯାଇଥିବାର ପ୍ରମାଣ ଦେଖାଇ ବର୍ଷିଛି ବିଜେପି । ନିର୍ଦ୍ଧିଷ୍ଟ ଭାବେ ଦୁଇଟି ତାରିଖରେ ସଚିବ ବ୍ୟକ୍ତିଗତ କାର୍ଯ୍ୟରେ ଯୋଗ ଦେବାକୁ ହେଲିକପ୍ଟରରେ ଯାଇଥିଲେ ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଜେପି ନେତା ।

ବିଜେପିର ଅଭିଯୋଗ ଅନୁସାରେ, ୧୪ ମେ ୨୦୨୩ରେ ୫-ଟି ସଚିବ ଭୁବନେଶ୍ୱରରୁ ଅନୁଗୁଳ ଯାଇଥିଲେ । ଯାହାକୁ ସରକାରୀ ଗସ୍ତ ଭାବେ ଦର୍ଶାଯାଇଥିଲା । କିନ୍ତୁ ସେଦିନ ସେଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା । ସେଠାରେ ବିଜେଡି ବିଧାୟକ ମୁକେଶ ପାଳଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଇଥିଲେ ବୋଲି ବିଜେପି ଅଭିଯୋଗ କରିଛି । ଏପରିକି ବିବାହ ଭୋଜିରେ ପାଣ୍ଡିଆନ ଯୋଗ ଦେବାର ଫଟୋ ଦେଖାଇ ପ୍ରଶ୍ନ ଉଠାଇଛି ବିଜେପି । ସେହିପରି ୨୮ ଜୁନ୍ ୨୦୨୩ରେ ହେଲିକପ୍ଟରରେ ତାଳଚେର ଯାଇଥିଲେ ୫-ଟି ସଚିବ । କିନ୍ତୁ ସେଦିନ ତାଳଚେରରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା ଓ ସ୍ଥାନୀୟ ବିଧାୟକଙ୍କ ପାରିବାରିକ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ବୋଲି ଅଭିଯୋଗ କରିଛି ବିଜେପି । ତେବେ ବ୍ୟକ୍ତିଗତ ଆମୋଦ ପ୍ରମୋଦ ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ।

କେବଳ ଏତିକି ନୁହେଁ ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମାସ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୫ ଥର ହେଲିକପ୍ଟର ଓ ଚାଟାର୍ଡ ଫ୍ଲାଇଟ୍ ଉଡିଥିବା ଜଣାପଡିଛି । ତେବେ ବହୁତ କମ୍ ଥର ମୁଖ୍ୟମନ୍ତ୍ରୀ ଯାଇଥିବାବେଳେ ଅଧିକାଂଶ ଥର ୫-ଟି ସଚିବ ଓ ତାଙ୍କ ଟିମ୍ ଯାଇଥିବା ସ୍ପଷ୍ଟ ହୋଇଛି । ଆଉ ସଚିବଙ୍କ ଏହି ହେଲିକପ୍ଟର ଗସ୍ତରେ ୫ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ଆଣିଛି ବିଜେପି । ତେବେ ସରକାରୀ କାର୍ଯ୍ୟକ୍ରମରେ ଯାଉଛନ୍ତି । ଗୋଟିଏ ଜିଲ୍ଳା ଦୁଇ ଦିନରେ ସାରିବେ ତେଣୁ ହେଲିକପ୍ଟରରେ ଯିବାକୁ ପଡିବ ବୋଲି ସଫେଇ ଦେଇଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ।

ବିଜେପି ଅଭିଯୋଗ ଆଣିବା ପରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ୬-ଟି ସଚିବ ଜିଲ୍ଲା ଗସ୍ତ କରିବାରେ ଅସୁବିଧା ନାହିଁ କିନ୍ତୁ ହେଲିିକପ୍ଟର ଯାଇ, ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା କେତେ ଦୂର ଠିକ୍, ତାହା ଚର୍ଚ୍ଚାର ବିଷୟ ହୋଇଛି ।