ପୁଣି ତେଜିଲା ବିଜେଡି-ବିଜେପି ‘ଘର’ କଳି: କେନ୍ଦ୍ର ଯୋଜନାର ନାଁ ବଦଳାଇ ରାଜ୍ୟ ବାଃ ବାଃ ନେଉଥିବା ବିଜେପିର ଅଭିଯୋଗ

594

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପିର ସାଂଘାତିକ ଅଭିଯୋଗ । ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ନାଁ ବଦଳାଇ ବାଃ ବାଃ ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାରଙ୍କ ଯୋଜନାରେ ନାମିତ କରି ବିଜ୍ଞାପନ କରୁଛନ୍ତି ବୋଲି ଅଭିଯୋଗ କରି ରାଜ୍ୟପାଳଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ ।

ତେବେ ବିଜେପି ଅଭିଯୋଗ କରିଛି ଯେ,

-ଦଳୀୟ ଆଧାରରେ ବିଜେଡି କର୍ମୀଙ୍କୁ ସରକାରୀ ଗୃହ ପ୍ରଦାନ କରାଯାଉଛି
-ପୁରୁଣା ଘରର କେବଳ ଫଟୋ ଉଠାଇ ବିଜେଡି କର୍ମୀଙ୍କୁ ସହାୟତା ରାଶି ଦିଆଯାଉଛି
-ଗରିବ ଲୋକଙ୍କୁ ଘର ଦେବା ପାଇଁ ବିଜେଡି ନେତା ଲାଂଚ ନେଉଛନ୍ତି
-ପ୍ରଧାନମନ୍ତ୍ରୀ ଆୱାସ ଯୋଜନାକୁ ବିଜୁ ପକ୍କାଘର ଯୋଜନାରେ ବିଜ୍ଞାପିତ କରୁଛନ୍ତି ରାଜ୍ୟ ସରକାର

ରାଜନୀତିର ଏହି ବୟାନବାଜୀ ଭିତରେ ରାଜ୍ୟ ସରକାରଙ୍କ ଗୃହ ଓ ସହରାଂଚଳ ବିକାଶ ବିଭାଗ ପକ୍ଷରୁ ୩ଟି ମହାନଗର ନିଗମ ଏବଂ ଗୋଟିଏ ମ୍ୟୁନିସିପାଲଟିକୁ ଚିଠି ଲେଖାଯାଇଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମର କମିଶନର ଏବଂ ଯାଜପୁର ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି କି ୧୬ଟି ସହରାଂଚଳରେ ଗୃହ ନିର୍ମାଣ ପାଇଁ ରାଜୀବ ଆୱାସ ଯୋଜନାରେ ରାଜ୍ୟ ସରକାରଙ୍କୁ ୧୭୨ କୋଟି ୯୭ ଲକ୍ଷ ଟଙ୍କା ଆସିଥିଲା । ୨୦୦୯ରୁ ୨୦୧୮ ଭିତରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା କଥା ହେଲେ, ରାଜ୍ୟ ସରକାର କେବଳ ଶହେ କୋଟି ୬୭ ଲକ୍ଷ ଟଙ୍କାର ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ଦେଇଛନ୍ତି । ବଡ଼ କଥା ହେଉଛି-୨୦୧୮ ଡିସେମ୍ବର ୩୧ରୁ ଏହି ପ୍ରକଳ୍ପ ସରିଯାଇଥିଲେ ମଧ୍ୟ ଏହି ଯୋଜନାରେ ହୋଇଥିବା କାମ ଉତ୍ସାହଜନକ ନୁହେଁ ବୋଲି ଖୋଦ୍ ସ୍ୱୀକାର କରିଛି ରାଜ୍ୟ ସରକାରଙ୍କ ଗୃହ ଓ ସହରାଂଚଳ ବିକାଶ ବିଭାଗ ।

ସହରାଂଚଳରେ ଗରିବ ଲୋକଙ୍କୁ ଘର ଦେବା ପାଇଁ ବସ୍ତିବାସିନ୍ଦାଙ୍କୁ ଅସ୍ଥାୟୀ ଗୃହକୁ ସ୍ଥାନାନ୍ତର ମଧ୍ୟ କରାଯାଇଥିଲା । ହେଲେ ସେମାନଙ୍କୁ ଏଯାଏଁ ଗୃହ ମିଳିପାରିନି । ଆଉ ଏସବୁ ଭିତରେ ସେମାନଙ୍କୁ ଏବେ ସେହି ଅସ୍ଥାୟୀ ଗୃହ ଛାଡ଼ିବାକୁ ନୋଟିସ୍ ହୋଇଛି ।
ତେବେ ବିଜେଡି-ବିଜେପିର ଆବାସ ଓ ପକ୍କାଘର କଳି ଭିତରେ କେଉଁଠି ପ୍ରକୃତ ହିତାଧିକାରୀଙ୍କୁ ଗୃହ ମିଳିପାରୁନି, ତ ଆଉ କେଉଁଠି ଲାଂଚ ଦେବାକୁ ପଡୁଥିବାର ଅଭିଯୋଗ ହେଉଛି । ଆଉ ଏସବୁ ଭିତରେ ଗୋଟିଏ ପ୍ରଶ୍ନ ଉଠୁଛି କି ଏ ସବୁ ଯୋଜନା କାହା ପାଇଁ ?