ଧର୍ମେନ୍ଦ୍ରଙ୍କୁ ସୋସିଆଲ ମିଡିଆରେ ଆହ୍ୱାନ ଦେଲେ ବିଜେଡି ନେତା । ଅଣ୍ଡାମାଡ ଭଳି ଘୃଣ୍ୟ କାମ କରି ବାହାବା ନେଉଥିବା ବିଜେପି ନେତା କ୍ଷମା ମାଗନ୍ତୁ ।

479

କନକ ବ୍ୟୁରୋ : ରାଜ୍ୟରେ ଅଣ୍ଡାମାଡ଼ ପ୍ରତିବାଦ ଏବେ ଜୋର ଧରିଥିବା ବେଳେ ଏହା ଏବେ ରାଜନୀତିର ପ୍ରସଙ୍ଗ ପାଲଟିବାକୁ ବସିଲାଣି । ସେ ଯେକୌଣସି ଦଳର ହୁଅନ୍ତୁ ନା କାହିଁକି, ଜଣଙ୍କ ପରେ ଜଣେ ନେତାଙ୍କୁ ଅଣ୍ଡାମାଡ଼ ହେଉଥିବା ଦେଖିବାକୁ ମିଳିଛି । ଏପରିକି ମୁଖ୍ୟମନ୍ତ୍ରୀ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ତାଙ୍କ ଗାଡ଼ି ଉପରକୁ ବିଜେପି କର୍ମୀମାନେ ଅଣ୍ଡାମାଡ଼ କରିଥିଲେ ।

ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇପଡ଼ିଛି । ଏହି ଘଟଣା ପାଇଁ ବିଜେପି କ୍ଷମା ମାଗୁ ବୋଲି ଦାବି କରିଛି ବିଜେଡି । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏନେଇ ଜଣାଇଛନ୍ତି ।

ପ୍ରଣବ ଟୁଇଟରେ ଲେଖିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ବେଳେ ସମସ୍ତ ଦଳର ନେତା ଏପରିକି ପୁରୀ ବିଧାୟକ ମଧ୍ୟ ଯୋଗଦେଇଥିଲେ । ଓଡିଶାବାସୀଙ୍କ ବିଶ୍ୱାସ, ଯିଏ ଜଗନ୍ନାଥ ଦର୍ଶନ କରି ବଡଦାଣ୍ଡରୁ ଫେରିଛି, ତାର ପାଦ ଧରି ନମସ୍କାର କରାଯାଏ । କାରଣ ଶରଧାବାଲି ତା ପାଦରେ ଲାଗିଥାଏ । କିନ୍ତୁ ଲଜ୍ଜାର ବିଷୟ, ବିଜେପିର ନେତା ଘୃନ୍ୟ କାର୍ଯ୍ୟ କରି ଅଣ୍ଡାମାଡ କରି ବାହାବ ନେଉଛନ୍ତି । ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି ।