କାଲି ଅଚାନକ ଇସ୍ତଫା, ଆଜି ଆକସ୍ମିକ ଚୟନ । ଭୂପେନ୍ଦ୍ର ପଟେଲ ହେବେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

150

କନକ ବ୍ୟୁରୋ: ୨୪ ଘଣ୍ଟା ମଧ୍ୟରେ ବିଜେପି ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି । ଭୂପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଭୂପେନ୍ଦ୍ର ପଟେଲ ୨୦୧୭ରେ ପ୍ରଥମ ଥର ଲାଗି ବିଧାୟକ ହୋଇଛନ୍ତି ଓ ମାତ୍ର ୪ ବର୍ଷ ମଧ୍ୟରେ ହିଁ ମୋଦି-ଶାହ ଯୋଡି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଛନ୍ତି । ଗାନ୍ଧିନଗରରେ ବିଜେପି ବିଧାୟକ ଦଳ ବୈଠକ ପରେ ଭୂପେନ୍ଦ୍ରଙ୍କୁ ନୂଆ ନେତା ବଛାଯାଇଛି ।

ଗୁଜରାଟରେ ବିଜୟ ରୂପାଣୀଙ୍କ ଇସ୍ତଫା ଯେଭଳି ଆଶ୍ଚର୍ଯ୍ୟଜନକ ଥିଲା, ସେହିଭଳି ଭୂପେନ୍ଦ୍ର ପଟେଲଙ୍କ ନାଁ ଘୋଷଣା ବି ସମସ୍ତଙ୍କୁ ଚମକାଇ ଦେଇଛି । ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ଭଳି ଏଠାରେ ବି ମୋଦି-ଶାହଙ୍କ ଯୋଡି ସରପ୍ରାଇଜ ଫ୍ୟାକ୍ଟରକୁ କାଏମ ରଖିଛନ୍ତି । ବଡ ବଡ ନେତାଙ୍କୁ ପଛର ପକାଇ ରେସରେ ନଥିବା ନେତାଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ କରାଯାଇଛି । ଶନିବାର ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତିନ ପଟେଲ , ମନସୁଖ ମାଣ୍ଡବ୍ୟ ଭଳି ନେତା ରେସରେ ଆଗରେ ଅଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ରେସରେ ନଥିଲେ ଭୂପେନ୍ଦ୍ର ପଟେଲ କିନ୍ତୁ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦି-ଶାହ ନିଜ ଗଡରେ ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ।

କୁହାଯାଉଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ସ୍କ୍ରିପ୍ଟ ଦିଲ୍ଲୀରେ ଲେଖାଯାଇଥିଲା ଓ ଗୁଜରାଟରେ ଏହାର ଘୋଷଣା ହେଲା । ରାଜନୈତିକ ନିଷ୍ପତ୍ତି କ୍ଷେତ୍ରରେ ମୋଦି-ଶାହ ସବୁବେଳେ ପରିପକ୍ୱ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏହାର ସଙ୍କେତ କାହାକୁ ବି ମିଳିନଥାଏ । ତେବେ ୫୯ ବର୍ଷୀୟ ଭୂପେନ୍ଦ୍ର ପଟେଲଙ୍କ ସଙ୍ଗଠନ ଉପରେ ଭଲ ପ୍ରଭାବ ରହିଛି । ସେ ଗୁଜରାଟରେ ପ୍ରଭାବ ରଖିଥିବା ପାଟିଦାର ସମୁଦାୟରୁ ଆସିଛନ୍ତି । ଦୀର୍ଘ ଦିନ ହେବ ଆରଏସସ ସହ ବି ଜଡିତ ଅଛନ୍ତି । ଏବେ ସଙ୍ଗଠନକୁ ଏକାଠି ରଖି ନିର୍ବାଚନକୁ ଓହ୍ଲାଇବା ଭୂପେନ୍ଦ୍ରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।