ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ବିଜେପିର ଦମଦାର ପ୍ରଦର୍ଶନ । ୪୯ ଆସନ ଦଖଲ ସହ ଦ୍ୱିତୀୟ ବଡ ଦଳ ଭାବେ ଉଭା । କେସିଆରଙ୍କ ଟିଆରଏସକୁ ୫୬ ଓ ଓବେସୀଙ୍କ ଏଆଇଏମଆଇଏମକୁ ୪୩ଟି ଆସନ

330

କନକ ବ୍ୟୁରୋ : ଦେଶର ଅନ୍ୟତମ ସବୁଠାରୁ ବଡ ନଗର ନିଗମ ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିଛି ବିଜେପି । ଏଥର ୪୯ଟି ଆସନରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି । କେସିଆରଙ୍କ ଟିଆରଏସ ସବୁଠାରୁ ବଡ ଦଳ ଭାବେ ୫୬ଟି ଆସନରେ ବିଜୟୀ ହୋଇଥିଲେ ମଧ୍ୟ ଗତ ନିର୍ବାଚନ ତୁଳନାରେ ବହୁ ଆସନ ହରାଇଛି । ସେହିପରି ଅସଦଉଦିନ ଓବେସୀଙ୍କ ଦଳ ଏଆଇଏମଆଇଏମ ୪୩ଟି ଆସନ ଦଖଲ କରିଛି ।

ତେବେ ୧୫୦ ଆସନ ବିଶିଷ୍ଟ ଏହି ନଗର ନିଗମର ବହୁମତ ସଂଖ୍ୟା ୭୫ ହୋଇଥିବାବେଳେ କୌଣସି ଦଳକୁ ବହୁମତ ମିଳି ନାହିଁ । ବିଜେପିକୁ ଏତେ ଆସନ ମିଳିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି କହିଛନ୍ତି, ତେଲେଙ୍ଗାନାର ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଭରସା କରିଥିବାରୁ ଧନ୍ୟବାଦ ।

ସେହିପରି ଓବେସୀଙ୍କ ଦଳ ମଧ୍ୟ ଭଲ ପ୍ରଦର୍ଶନ କରିଥିବାରୁ ସେ ହାଇଦ୍ରାବାଦର ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ନଗରନିଗମ ନିର୍ବାଚନରେ ବିଜେପି ତାର ପୁରା ଶକ୍ତି ଲଗାଇ ଦେଇଥିଲା । କାରଣ ତେଲେଙ୍ଗାନାର ରାଜନୀତିରେ ହାଇଦ୍ରାବାଦ ନଗର ନିଗମ ବେଶ ଗୁରୁତ୍ୱ ବହନ କରିଥାଏ । କୁହାଯାଏ ଏହି ନିର୍ବାଚନର ଫଲ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିଥାଏ ।