କନକ ବ୍ୟୁରୋ: ସରକାର ବଦଳିବା ପରେ, ସମସ୍ତ ନିଗମ ଓ ବୋର୍ଡକୁ ଭାଂଗି ଦିଆଯାଇଛି। ବିଜେପି ସରକାର ଆସିବା ପରେ ବିଜେଡି ସରକାର ସମୟରେ ନିଯୁକ୍ତି ଦିଆଯାଇଥିବା ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନଙ୍କୁ ପଦରୁ ହଠାଇ ଦିଆଯାଇଛି। ମୋହନ ସରକାରଙ୍କ ଏହି ନିଷ୍ପତି ପରେ ଏବେ ଆରମ୍ଭ ହୋଇଗଲାଣି ଲବି।

୨୪ ନିର୍ବାଚନ ସମୟରେ ଦଳ ଡିଆଁ ରାଜନୀତିରେ ଅନେକ ନେତା ବିଜେପିକୁ ଆସିଥିଲେ । କିଛି ଟିକେଟ ପାଇ ଜିତିଛନ୍ତି ତ ଆଉ କିଏ ନିର୍ବାଚନରେ ହାରିଛନ୍ତି । ଆଉ କିଛି ନେତା ପୂର୍ବରୁ ଦଳରେର ରହି ସଂଗଠନ କାର୍ଯ୍ୟ ବୁଝୁଛନ୍ତି । ଆଉ ଏବେ ଯେତେବେଳେ ବିଜେପି ସରକାରକୁ ଆସିଛି, ସେତେବେଳେ ନୂଆପୀଢ଼ିର ନେତାଙ୍କ ଆଶା ବଢ଼ି ଯାଇଛି। ବିଶେଷ କରି ମୋହନ ସରକାର ବିଭିନ୍ନ ନିଗମ ଓ ବୋର୍ଡକୁ ଭାଂଗି ଦେବା ପରେ ଏହି ଆଶା ଆହୁରି ବଢ଼ି ଯାଇଛି। ଏପରିକି ନିଜ ନିଜ ହିସାବରେ ଲବି କରିବା ଆରମ୍ଭ କରି ଦେଇଛନ୍ତି। କୁହାଯାଉଛି ୨୦ରୁ ଅଧିକ ନିଗମ, ୧୦ରୁ ଅଧିକ ବୋର୍ଡରେ ନୂଆ ପୀଢ଼ିର ନେତାଙ୍କୁ ଥଇଥାନ କରିପାରେ ଦଳ।

କେବଳ ନିଗମ ନୁହେଁ କିଛି ନେତାଙ୍କ ନଜର ବିଧାନ ପରିଷଦ ଉପରେ ରହିଛି। ଡବଲ ଇଞ୍ଜିନ ସରକାର ହୋଇଥିବାରୁ ଖୁବଶୀଘ୍ର ବିଧାନ ପରିଷଦ ଗଠନ ହେବ ବୋଲି ଆଶା ରଖିଛନ୍ତି। ଏବଂ ପରିଷଦ ଗନ ହେଲେ, ବରିଷ୍ଠ ନେତାଙ୍କୁ ଥଇଥାନ କରିବା ପାଇଁ ବାଟ ଫିଟିବ ବୋଲି ମତ ରଖିଛନ୍ତି ରାଜନୀତି ସମୀକ୍ଷକ।

ବିଧାନସଭାର ଏକ ତୃତୀୟାଂଶ ସଦସ୍ୟକୁ ନେଇ ଗଠନ ହୋଇଥାଏ ବିଧାନ ପରିଷଦ । ବିଧାନ ପରିଷଦର ସଦସ୍ୟ ସଂଖ୍ୟା ୪୯ ରହିବ । ଏଥିରୁ ୧୬ ସଦସ୍ୟଙ୍କୁ ବିଧ୍ୟାକ ମନୋନୀତ କରିବେ । ଜିଲ୍ଲା ପରିଷଦ, ପଂଚାୟତ ସମିତି ଓ ନଗର ନିଗମ ଦ୍ବାରା ଆଉ ୧୬ ଜଣ ନିର୍ବାଚିତ ହେବେ । ୯ ଜଣଙ୍କୁ ରାଜ୍ୟପାଳ ମନୋନୀତ କରିବେ । ୪ ଜଣଙ୍କୁ ଶିକ୍ଷକ ଓ ଆଉ ୪ ଜଣଙ୍କୁ ସ୍ନାତକ ମତଦାତା ନିର୍ବାଚିତ କରିବେ ।