କନକ ବ୍ୟୁରୋ : ଭୋଟ୍ ବେଳେ ରାଜନୈତିକ ହିଂସା ନେଇ ବିଜେଡିକୁ ଘେରିଲା ବିଜେପି । ପଞ୍ଚାୟତ ନିର୍ବାଚନରେ ହିଂସାତ୍ମକ ଘଟଣା ହୃଦୟ ବିଦାରକ ବୋଲି କହିଛି ଦଳ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡରେ ଶାସକ ଦଳର କର୍ମୀମାନେ ସିଧାସଳଖ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଶାସକ ଦଳର ଅରାଜକତା ଯୋଗୁ ନାଗରିକମାନେ ଭୋଟ୍ ଦେବାକୁ ବୁଥକୁ ଯିବାକୁ ଭୟ କରୁଥିବା ଦଳ ଅଭିଯୋଗ କରିଛି ।
ସମୀର ମହାନତି କହିଛନ୍ତି, କେବଳ ଲୋକ ନୁହନ୍ତି କଣାସ ବ୍ଲକରେ ଗଣମାଧ୍ୟମର ପ୍ରତିନିଧି ମଧ୍ୟ ବିଜେଡି କର୍ମୀଙ୍କ ଆକ୍ରମଣରୁ ବର୍ତି ନାହାନ୍ତି । କେବଳ ଏତିକି ନୁହଁ ରାଜ୍ୟରେ ଭୋଟ୍ ଜବରଦଖଲ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉତର ରଖିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଆଗାମୀ ୪ ପର୍ଯ୍ୟାୟ ନିର୍ବାଚନ କିପରି ଶାନ୍ତିଶୃଙ୍ଖଳାରେ ହେବ ସେନେଇ ମୁଖ୍ୟମନ୍ତ୍ରୀ ସୁନିଶ୍ଚିତ କରନ୍ତୁ ବୋଲି କହିଛି ବିଜେପି ।
ସେପଟେ, ନିର୍ବାଚନ ଆରମ୍ଭରୁ ରାଜନୈତିକ ହିଂସାକୁ ଦୃଢ଼ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି ସେ କହିଛନ୍ତି, ଏହା ଚିନ୍ତାଜନକ ଓ ଦୁଃଖଦାୟକ । ରାଜ୍ୟ ନିର୍ବାଚନ କମିଶନ,ଆଇନଶୃଙ୍ଖଳା ସ୍ଥିତି ଠିକ ନଥିବା ସେ କହିଛନ୍ତି । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ମଧ୍ୟ ଘଟିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି ।
ପଞ୍ଚାୟତ ଭୋଟ୍ ବେଳେ ହିଂସାକୁ ନେଇ ଶାସକ ଦଳକୁ ବିଜେପିର ଟାର୍ଗେଟ । ଆଗାମୀ ୪ଟି ପର୍ଯ୍ୟାୟ ଶାନ୍ତି ଶୃଙ୍ଖଳାରେ କରିବାକୁ ଆହ୍ୱାନ୍
/kanak/media/post_attachments/wp-content/uploads/2022/02/17-23.jpg)