କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ବିବାଦ ଲାଗିରହିଥିବାବେଳେ ଆଜି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ବଡଦାଣ୍ଡରେ ଜଗନ୍ନାଥଙ୍କ ମୂର୍ତି ଧରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୂର୍ତିକୁ କୋଳରେ ଧରି ବଡଦାଣ୍ଡରେ ଚାଲିଥିଲେ । ଐତିହ୍ୟ କରିଡରକୁ ନେଇ ବିବାଦ ଚାଲିଥିବାବେଳେ ସମ୍ବିତଙ୍କ ଏଭଳି କାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ବିଜେଡି ଏହାକୁ ଡ୍ରାମା ବୋଲି କହିଛି । ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, ଅତିଭକ୍ତି ଚୋରର ଲକ୍ଷଣ । ସେପଟେ କଂଗ୍ରେସ ମଧ୍ୟ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଠିକ ନୁହେଁ ବୋଲି କହିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିବାବେଳେ ପୁରୀ ବଡଦାଣ୍ଡର ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ କୋଳରେ ଧରି ଦର୍ଶନ,ପାଇଁ ଚାଲି ଚାଲି ଯାଉଛନ୍ତି ବିଜେପି ନେତା ସମ୍ବିତ ପାତ୍ର । ମଙ୍ଗଳବାର ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ମୁଣ୍ଡରେ ଧରିଥିବାବେଳେ, ବୁଧବାର ଓଡିଶା ଆସି ପୁରୀ ଯାଇଥିଲେ । ପୁରୀରେ ପହଁଚିବା ପରେ ମରିଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଜଗନ୍ନାଥଙ୍କ ମୂର୍ତିକୁ କୋଳରେ ଧରି ଚାଲି ଚାଲି ଶ୍ରୀମନ୍ଦିରକୁ ଯାଇଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁଣି ସେହିଭଳି କାଳିଆ ସାଆନ୍ତଙ୍କୁ ଧରି ପରିକ୍ରମା ପ୍ରକଳ୍ପ ଚାଲିଥିବା ନିର୍ମାଣସ୍ଥଳକୁ ଯାଇଥିଲେ ।ସେଠାରେ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରିବା ସହ ବେଆଇନ ଭାବେ ନିର୍ମାଣ ଚାଲିଥିବା ଦର୍ଶାଇ ପଡିଥିବା ଲୁଡା ରଡକୁ ଦେଖାଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଓଡିଆଙ୍କ ଭାବାବେଗ ଯୋଡିହୋଇରହିଥିବାରୁ, ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗ ଉଠାଇ ରାଜ୍ୟସରକାରଙ୍କୁ ଏମିତି ଢ଼ଙ୍ଗରେ ସମାଲୋଚନା କରିଛନ୍ତି ସମ୍ବିତ ।
ସମ୍ବିତ ଜଗନ୍ନାଥଙ୍କ ମୂର୍ତିକୁ ଧରି ପ୍ରତିବାଦ କରିବା ପରେ, ୨୦୧୯ ସାଧାରଣ ନିର୍ବାଚନ ସମୟର କଥାକୁ ମନେ ପକାଇ ଦେଇଛି ବିଜେଡି । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି,ଡ୍ରାମା କରୁଛନ୍ତିି ସମ୍ବିତ । ନିର୍ବାଚନ ସମୟରେ ପୋଖରୀରେ ଗାଧୋଉଥିଲେ, ପିଣ୍ଡାରେ ଖାଉଥିଲେ, ଜଗନ୍ନାଥଙ୍କୁ ଧରି ବୁଲୁଥିଲେ, ଏବେ ସେମିତି ପ୍ରହସନ କରୁଛନ୍ତି । କଂଗ୍ରେସ ମଧ୍ୟ ସମ୍ବିତଙ୍କୁ ସମାଲୋଚନା କରିଛି । ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।
ସାଧାରଣ ନିର୍ବାଚନ ସମୟରେ ସମ୍ବିତ ପାତ୍ର ବର୍ତମାନ ଭଳି ଜଗନ୍ନାଥଙ୍କ ମୂର୍ତିକୁ ଧରି ପ୍ରଚାର କରିଥିଲେ । ଓଡିଶାରେ ଜଗନ୍ନାଥଙ୍କୁ ନେଇ ସମ୍ବିତ ରାଜନୀତି କରୁଥିବା ଅଭିଯୋଗ ହୋଇଥିଲା । ତାପରେ ସଫେଇ ରଖି ସମ୍ବିତ କହିଥିଲେ ଜଣେ ବୃଦ୍ଧ ଲୋକ ତାଙ୍କୁ ଜଗନ୍ନାଥ ମୂର୍ତି ଦେଇଥିଲେ । ଏବଂ ଜଗନ୍ନାଥଙ୍କ ମୂର୍ତିକୁ ଧରି ପ୍ରଚାର କରିବାରେ ଅସୁବିଧା କେଉଁଠି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/27-11.jpg)