ବିଧାୟକ ସୁଶାନ୍ତ ସିଂଙ୍କ ବିରୋଧରେ ବିଜେପିର ଗର୍ଜନ । ତୁରନ୍ତ ଗିରଫ ଦାବିରେ ଘେରିଲେ ବରଗଡ ଏସପି ଅଫିସ । ସେପଟେ ଏନଏଚଆରସିରେ ଅଭିଯୋଗ
କନକ ବ୍ୟୁରୋ: ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ବିଧାୟକଙ୍କ ଗିରଫ ଦାବି ବଢ଼ିବାରେ ଲାଗିଛି । ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବିରେ ବରଗଡ ଏସପି ଅଫିସ କାର୍ଯ୍ୟାଳୟ ଘେରାଉ କରିଛି ଜିଲ୍ଲା ବିଜେପି । ଘଟଣାକୁ ୪ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ୬ଜଣଙ୍କୁ ଗିରଫ କରି ପୋଲିସ ବସି ପଡିଥିବା ଅଭିଯୋଗ ଆଣି ଶୋଭାଯାତ୍ରା କରିବା ସହ ଏସପି ଅଫିସ ଘେରାଉ କରିଛନ୍ତି ବିଜେପି ନେତା ଓ କର୍ମୀ । ଏହି ଘଟଣାରେ ଭଟଲି ବିଧାୟକଙ୍କ ସମ୍ପୃକ୍ତି ଥିଲେ ବି ତାଙ୍କୁ କାହିଁକି ଗିରଫ କରାଯାଇନି ସେ ନେଇ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି ।

Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ବିଧାୟକ ସୁଶାନ୍ତ ସିଂଙ୍କ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ଆବେଦନ ହୋଇଛି । ଏହି ଘଟଣାରେ ସୁଶାନ୍ତଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ । ଆବେଦନରେ ପୋଲିସ ଡିଜି, ଗୃହ ବିଭାଗ ଓ ବରଗଡ ଏସପିଙ୍କୁ ପକ୍ଷଭୁକ୍ତ କରିଛନ୍ତି ।
ସେଦିନର ଘଟଣାରେ ସୁଶାନ୍ତଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରି ଆସୁଛନ୍ତି ବିରୋଧୀ । ଏପରିକି ସୁଶାନ୍ତ ସେଦିନ ଗଣ୍ଡଗୋଳକାରୀଙ୍କ ସହ ଥିଲେ ବୋଲି ଅଭିଯୋଗ ହୋଇ ଆସୁଛି । ତେବେ ସୁଶାନ୍ତଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ । ଶହେରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । କିନ୍ତୁ ମାତ୍ର ଅଳ୍ପ କିଛି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଅନ୍ୟମାନେ ଫେରାର ଅଛନ୍ତି । ଅନ୍ୟପଟେ ସୁଶାନ୍ତ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି । ତେବେ ସେଦିନର ଘଟଣା ପାଇଁ ପୋଲିସକୁ ଦାୟୀ କରିଛନ୍ତି । ଯାହାକୁ ନେଇ ଲାଗି ରହିଛି ବିବାଦ ।