ବିଜେପି ନିଜ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇଲା ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ନାଁ । ଜାଣନ୍ତୁ ଏହା ପଛର ପୂରା କାରଣ କଣ?

1,043

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକାରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନାଁ ହଟାଇ ଦେଇଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ବିଜେପି ନିଜ ଷ୍ଟାର ପ୍ରଚାରକ ତାଲିକାରୁ ଏହି ୨ ନେତାଙ୍କ ନାଁ ହଟାଇଛି । ଇସିଆଇଙ୍କ ପକ୍ଷରୁ ଏକ ଚିଠି ଲେଖି କୁହାଯାଇଥିଲା ଯେ, ରାଜନୈତିକ ଦଳ ଷ୍ଟାର ପ୍ରଚାରକ ତାଲିକାରେ ଅନ୍ୟ ଦଳର ନେତାଙ୍କ ନାଁ ରଖିପାରିବେନି । ୨ ନେତାଙ୍କ ନାଁ ହଟାଇବା ପରେ ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଇସିଆଇକୁ ଦେଇଛି ବିଜେପି ।

ଏହାପୂର୍ବରୁ ଶରତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ସିନ୍ଦେ ଗୋଷ୍ଠୀ ନେତୃତ୍ୱାଧୀନ ଶିବସେନା ଓ ବିଜେପିର ଷ୍ଟାର ପ୍ରଚାରକ ତାଲିକାକୁ ନେଇ ଇସିଆଇ ନିକଟରେ ଅଭିଯୋଗ କରିଥିଲେ । ରାଜନୈତିକ ଦଳ ଗୁଡିକ ଅନ୍ୟ ଦଳର ନେତାଙ୍କୁ ନିଜ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଥିଲେ । ସିନ୍ଦେ ଗୋଷ୍ଠୀ ନେତୃତ୍ୱାଧୀନ ଶିବସେନା ନିଜର ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦେବେନ୍ଦ୍ର ଫଡନବୀଶଙ୍କ ନାଁ ରଖିଥିଲେ । ସେହିଭଳି ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକାରେ ଏକନାଥ ସିନ୍ଦେ, ଅଜିତ ପାୱାର ଓ ରାମଦାସ ଅଠାୱଲେଙ୍କ ନାଁ ରଖିଥିଲା । ତେବେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ଉଭୟ ଦଳ ନିଜର ଷ୍ଟାର ପ୍ରଚାରକ ତାଲିକା ବଦଳାଇଛନ୍ତି ।