ଗୁଜରାଟ ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ସଂକଳ୍ପପତ୍ର, ୨୦ ଲକ୍ଷ ରୋଜଗାର ସହ ୟୁସିସି ଛାତ୍ରଛାତ୍ରୀଙ୍କୁ ସ୍କୁଟି

97

କନକ ବ୍ୟୁରୋ : ଡିସେମ୍ବର ପହିଲାରୁ ଗୁଜରାଟ ବିଧାନସଭା ପାଇଁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହା ପୂର୍ବରୁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ଗୁଜରାଟବାସୀଙ୍କ ପାଇଁ ପ୍ରତିଶ୍ରୁତିର ପାହାଡ ଠିଆ କରିଦେଇଥିବା ବେଳେ ଦୀର୍ଘ ୨୭ ବର୍ଷ ହେବ ଗୁଜରାଟ ଶାସନରେ ଥିବା ବିଜେପି ଆଜି ତାର ସଂକଳ୍ପପତ୍ର ବା ଇସ୍ତାହାର ଘୋଷଣା କରିଛନ୍ତି । ଏହି କ୍ରମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି କି ରାଜ୍ୟରେ ପୁଣିଥରେ ବିଜେପି ସରକାର ଗଠନ କଲେ ସର୍ବପ୍ରଥମେ ଜାତୀୟ ସମ୍ପତ୍ତି ନଷ୍ଟ କରୁଥିବା ଲୋକଙ୍କ ପାଇଁ କଠୋର ଦଣ୍ଡବିଧାନର ଆଇନ ଅଣାଯିବ । ସେପଟେ ଗୁଜରାଟକୁ ଏକ ନିବେଶ ସ୍ଥଳୀ କରିବା ପାଇଁ ଯାହା ଯାହା ପଦକ୍ଷେପ ଆବଶ୍ୟକ ତାହା ସରକାରକୁ ଆସିଲେ ତୁରନ୍ତ ପୁରଣ କରାଯିବ ବୋଲି ସେ କହିଛନ୍ତି । ଏହି ସଭାରେ ଉପସ୍ଥିତ ଥିବା ବିଜେପିର ଅନ୍ୟତମ ନେତା ସିଆର ପାଟିଲ କହିଛନ୍ତି କି ଏହି ସଂକଳ୍ପପତ୍ର ପ୍ରସ୍ତୁତ କରିବାକୁ ଗୁଜରାଟର ୧ କୋଟି ଲୋକଙ୍କର ମତ ନିଆଯାଇଛି ।

ସେପଟେ କଂଗ୍ରେସ ତାର ଘୋଷଣା ପତ୍ରରେ ସରକାରକୁ ଆସିଲେ ୧୦ ଲକ୍ଷ ସରକାରୀ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ବିଜେପି ତାର ଘୋଷଣାପତ୍ରରେ ଏହାକୁ ୨୦ ଲକ୍ଷ କରିଛି । ସେପଟେ ଆମ୍ ଆଦମୀ ପାର୍ଟି ମହିଳାମାନଙ୍କ ପାଇଁ ମାସିକ ପେନସନ ଯୋଜନା ଘୋଷଣା କରିଥିବା ବେଳେ ବିଜେପି କହିଛି ସରକାରକୁ ପୁଣି ଫେରିଲେ ୧ ଲକ୍ଷ ମହିଳାଙ୍କୁ ରୋଜଗାର ପ୍ରଦାନ କରାଯିବ । ଏହାସହ ବିଜେପି ତାର ଘୋଷଣାପତ୍ରରେ ଫୁଡ ପାର୍କ ଓ ଜଳସେଚନ ପାଇଁ ୨୫ ହଜାର କୋଟି ଟଙ୍କା ବିନିଯୋଗର ପ୍ରତିଶ୍ରୁତି ଦେଇଛି । ଏହାସହ ୟୁସିସିର ଛାତ୍ର ଛାତ୍ରୀମାନଙ୍କୁ ସରକାରଙ୍କ ତରଫରୁ ମାଗଣା ସ୍କୁଟି ପ୍ରଦାନ ସହ ଆତଙ୍କବାଦୀ ଆକ୍ରମଣ ଓ ଆତଙ୍କବାଦକୁ ସହାୟତା କରୁଥିବା ସଂଗଠନ ଉପରେ ନୂଆ କଟକଣା ଲଗାଯିବ ବୋଲି ବିଜେପି ଆଜି ଗୁଜରାଟ ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇଛି ।