ଦିଲ୍ଲୀ ଲଢ଼େଇ: ୨୦୧୫ର ପ୍ରତିଶୋଧ ନେବାକୁ ପ୍ରଚାର ମୈଦାନକୁ ଓହ୍ଲାଇବେ ‘ପଦ୍ମ’ ଦଳର ୪୦ ଷ୍ଟାର ପ୍ରଚାରକ । ଓଡ଼ିଆ ଭୋଟ୍ ହାତେଇବାକୁ ଧର୍ମେନ୍ଦ୍ରଙ୍କୁ ଭରସା

ଦିଲ୍ଲୀ ଲଢ଼େଇ: ୨୦୧୫ର ପ୍ରତିଶୋଧ ନେବାକୁ ପ୍ରଚାର ମୈଦାନକୁ ଓହ୍ଲାଇବେ ‘ପଦ୍ମ’ ଦଳର ୪୦ ଷ୍ଟାର ପ୍ରଚାରକ । ଓଡ଼ିଆ ଭୋଟ୍ ହାତେଇବାକୁ ଧର୍ମେନ୍ଦ୍ରଙ୍କୁ ଭରସା

କନକ ବ୍ୟୁରୋ: ଦିଲ୍ଲୀ ଦଖଲ ପାଇଁ ଗେରୁଆ କ୍ୟାମ୍ପର କସରତ । କ୍ରେଜିୱାଲ୍ ସରକାରକୁ ମାତ୍ ଦେବାପାଇଁ ବିଜେପି ଜାରିକରିଛି ଷ୍ଟାର ପ୍ରଚାରକ ତାଲିକା । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଦଳର ଶୀର୍ଷ ନେତାଙ୍କ ସହ ସାମିଲ ଅଛନ୍ତି ଅନେକ ଜଣାଶୁଣା ମୁହଁ । ହେଲେ ଏଥର ଦିଲ୍ଲୀରେ ପଦ୍ମ ଫୁଟାଇବା ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଜଣେ ଓଡ଼ିଆ ପୁଅର ନାଁ ସାମିଲ ଥିବା ଦେଖିବାକୁ ମିଳିଛି । ସେ ଆଉ କେହି ନୁହଁନ୍ତି, ବିଭିନ୍ନ ସମୟରେ ଦଳର ଆଶା ବିଶ୍ୱାସରେ ଛିଡ଼ା ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ୨୦୧୯ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ଯେଉଁଭଳି ଓଡ଼ିଶା ବିଜେପିର ସଫଳତା ପାଇଁ ମୋଦି-ଶାହାଙ୍କ ବିଶ୍ୱାସଭାଜନ ହୋଇପାରିଥିଲେ ସେଥିପାଇଁ ତାଙ୍କୁ ଦିଲ୍ଲୀର ଦାୟିତ୍ୱ ଦିଆଯାଇଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୨୦ ଦିନର ସମୟ ବାକି ରହିଥିବା ବେଳେ ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇଛି ୪୦ ଜଣ ଷ୍ଟାର ପ୍ରଚାରକଙ୍କର ଏକ ଲମ୍ବା ତାଲିକା । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ରହିଛନ୍ତି ଅମିତ ଶାହା, ସ୍ମୃତି ଇରାନୀ, ନୀତୀନ ଗଡ଼କରୀ, ରାଜନାଥ ସିଂହ, ହର୍ଷ ବର୍ଦ୍ଧନ, ଧର୍ମେନ୍ଦ୍ର ପ୍ରଧାନ ଏବଂ ନବନିର୍ବାଚିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭଳି ବହୁ ନାମିଦାମୀ ନେତା ।

publive-imageସବୁଠାରୁ ବଡ଼ କଥା ହେଲା, ୨୦୧୫ ନିର୍ବାଚନରେ ୭୦ ଆସନ ମଧ୍ୟରୁ ମାତ୍ର ୩ଟି ଆସନରେ ବିଜୟ ହାସଲ କରି ଆପ୍ ହାତରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ବିଜେପି । ଚଳିତ ନିର୍ବାଚନରେ କିନ୍ତୁ ଦିଲ୍ଲୀ ବିଧାନସଭାକୁ ହାତେଇବା ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରିଛି ବିଜେପି । ସେଥିପାଇଁ ଆପ୍ ମୁଖ୍ୟ କେଜ୍ରିଓ୍ଵାଲଙ୍କୁ ଟକ୍କର ଦେବାକୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପାଇଁ ବିଭିନ୍ନ ରାଜ୍ୟରେ କିଙ୍ଗ୍ ମେକର ସାଜିଥିବା ନାୟକମାନଙ୍କୁ ନେଇ ପ୍ରସ୍ତୁତ କରିଛି ଦିଲ୍ଲୀ ଦଖଲ ପାଇଁ ‘ଟିମ୍-୪୦ । ଆଉ ସେଥିରେ ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ପ୍ରଚାର ମୈଦାନରେ ନଜର ଆସିବେ । ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ବିଜେପି ପକେଟ୍ କୁ ଆଣିବା ପାଇଁ ଧର୍ମେନ୍ଦ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଏହାବାଦ ଅଧିକାଂଶ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାରରେ ସକ୍ରିୟ ଅଂଶ ଗ୍ରହଣ କରିବେ। ଏମାନଙ୍କ ମଧ୍ୟରେ ଅଛନ୍ତି ଦଳର ପୋଷ୍ଟର ବୟ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ଶିବରାଜ ସିଂହ ଚୌହାନ ଓ ଅର୍ଜୁନ ମୁଣ୍ଡା ପ୍ରମୁଖ। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସମସ୍ତ ବିଧାନସଭା ନିର୍ବାଚନମାନଙ୍କରେ ଦଳ ନିର୍ବାଚନ ପୂର୍ବରୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରି ଆସୁଥିବା ବେଳେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ କାହାରିକି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe