ବିଷ୍ଣୁଙ୍କୁ ନେଇ ବଳ କଷାକଷି ! ରାଜ୍ୟସଭା ପଦରୁ ଇସ୍ତଫା ପରେ ବିଜେପି ଖେଳିଛି ଦଳିତ କାର୍ଡ

22

କନକ ବ୍ୟୁରୋ : ମାତ୍ର ୯ ମାସରେ ଦିଲ୍ଲୀରୁ ଓଡିଶାକୁ ଫେରିଲେ ବିଷ୍ଣୁ ଦାସ । ରାଜ୍ୟସଭାରୁ ଇସ୍ତଫା ଦେବାକୁ ଏହି ଦଳିତ ନେତାଙ୍କୁ ନବୀନ ଦେଲେ ନିର୍ଦ୍ଦେଶ । ତେବେ ବିଜେଡିର ଗୋଟି ଚାଳନା ପରେ ବିଜେପି ଖେଳିଛି ଦଳିତ କାର୍ଡ । ଦଳ କହିଛି, ବିଷ୍ଣୁ ପଛୁଆ ବର୍ଗର ହୋଇଥିବାରୁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି । ଆଉ ଦଳିତଙ୍କ ସ୍ଥାନରେ ବିଜେଡି, ଯଦି ପରିବାର ସଦସ୍ୟଙ୍କୁ ରାଜ୍ୟସଭାକୁ ପଠାଏ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ତେବେ ବିଜେଡିର କହିବା କଥା କ୍ୟାବିନେଟ୍ ପାହ୍ୟା ସହ ଯୋଜନା ବୋର୍ଡକୁ ଅଧିକ କ୍ରିୟାଶୀଳ କରିବାକୁ ବିଷ୍ଣୁ ଦାସଙ୍କୁ ନିଯୁକ୍ତି ଦିଆଯାଇଛି ।

ଦଳିତଙ୍କ ପ୍ରତି ବିଜେପିର ଏଭଳି ଦରଦ ନେଇ ଜବାବ ରଖିଛନ୍ତି ବିଷ୍ଣୁ ଦାସ । ସଫା ସଫା କହିଛନ୍ତି, ସେ ତାଙ୍କର ଯୋଗ୍ୟତା ଓ କର୍ତବ୍ୟ ନେଇ ସଚେତନ ଅଛନ୍ତି । ବିଜେପିର ଏଥିରେ ମୁଣ୍ଡ ଖେଳାଇବା ଦରକାର ନାହିଁ ।

ତେବେ ବିଷ୍ଣୁଙ୍କ ଇସ୍ତଫା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । କାହିଁକି ବିଷ୍ଣୁଙ୍କୁ ହିଁ ଇସ୍ତଫା ଦେବାକୁ କୁହାଗଲା । ରାଜ୍ୟସଭାରୁ ଫେରାଇ ଆଣି ରାଜ୍ୟ ଯୋଜନା ବୋର୍ଡ ଦାୟିତ୍ୱ ଦେବା ପଛରେ ଉଦ୍ଦେଶ୍ୟ କଣ । ଏକା ସମୟରେ ବିଷ୍ଣୁଙ୍କ ସହ ରାଜ୍ୟସଭାକୁ ଯାଇଥିଲେ ଦକ୍ଷିଣ ଓଡିଶାର ଟାଣୁଆ ସଂଗଠକ ଏନ୍ ଭାସ୍କର ରାଓ । ତାଙ୍କୁ ରାଜ୍ୟ ଯୋଜନା ବୋର୍ଡରୁ ସଂସଦ ପଠାଇଥିଲେ ବିଜେଡି ସୁପ୍ରିମୋ । ଏବେ ବିଷ୍ଣୁଙ୍କୁ ରାଜ୍ୟସଭାରୁ ଡାକି ଆଣି ସେହି ସ୍ଥାନରେ ରଖିଲେ ।

ଗୋଟିଏ ନେତାଙ୍କୁ ଯୋଜନା ବୋର୍ଡରୁ ନେଇ ରାଜ୍ୟସଭାରେ ବସାଇଲେ ଆଉ ଅନ୍ୟ ଜଣେ ନେତାଙ୍କୁ ରାଜ୍ୟସଭାରୁ ଆଣି ସେହି ସ୍ଥାନରେ ଅବସ୍ଥାପିତ କଲେ । ଆସନ୍ତା ବର୍ଷ ରାଜ୍ୟସଭାରେ ବିଜେଡିର କିଛି ସିଟ୍ ଖାଲି ହେଉଛି । ଏଭଳି ସ୍ଥିତିରେ ବିଜେଡି ସୁପ୍ରିମୋ ଚାହିଁଥିଲେ ଅନ୍ୟ କାହାକୁ ରାଜ୍ୟକୁ ଡାକିପାରିଥାନ୍ତେ । ତେବେ ବିଷ୍ଣୁ ହିଁ କାହିଁକି । ଭାସ୍କର ରାଓଙ୍କୁ ଡାକି ଦକ୍ଷିଣ ଓଡିଶାରେ ସ୍ଥିତି ଦୁର୍ବଳ କରିବାକୁ ଚାହୁଁନି କି ବିଜୁ ଜନତା ଦଳ ।

ଚର୍ଚା ହେଉଛି ବିଷ୍ଣୁଙ୍କ ସ୍ଥାନରେ ନବୀନ, ଭଉଣୀ ଗୀତା ମେହେଟା, ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ, ସୁବ୍ରତ ବାଗଚୀ କିମ୍ବା ଦଳୀୟ ମୁଖପାତ୍ର ପ୍ରତାପ ଦେବଙ୍କୁ ରାଜ୍ୟସଭା ପଠାଇପାରନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-