ରାଜନୀତିରେ ‘ରାମ’! ରାମରାଜ୍ୟର କଥା ଉଠାଇଲା ବିଜେପି, କଟାକ୍ଷ କଲେ ଉଭୟ ବିଜେଡି ଓ କଂଗ୍ରେସ

81

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ରାମ ଓ ରାମରାଜ୍ୟ ପ୍ରସଙ୍ଗ ଉଠାଇଛି ବିଜେପି । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଦେଶରେ ମୋଦି ରାମରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଆଉ ଆଗକୁ ଓଡିଶାରେ ବି ରାମରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ରାଜ୍ୟ ସରାକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତା । ଏହାପରେ ବିଜେଡି ଓ କଂଗ୍ରେସ, ବିଜେପିକୁ କଡା ଜବାବ ଦେଇଛନ୍ତି । ବିଜେଡି କହିଠି, ବିଜେପିର ରାଜନୀତିର କୌଣସି ପ୍ରଭାବ ପଡିବ ନାହିଁ । କଂଗ୍ରେସ ବି କଡା ଜବାବ ଦେଇଛି ।

ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ପ୍ରାଣ ପ୍ରତିଷ୍ଠା ଉତ୍ସବର ଠିକ୍ ଦିନକ ପରେ ହୁଏତ ସେଇଆ ଦେଖିବାକୁ ମିଳିଛି । ରାମ ଓ ରାମରାଜ୍ୟ ପ୍ରସଙ୍ଗ ଉଠାଇଛି ଭାରତୀୟ ଜନତା ପାର୍ଟି । ରାଜ୍ୟ ବିଜେପି ଉପ-ସଭାପତି ଗୋଲକ ମହାପାତ୍ର ରାମରାଜ୍ୟର ଅର୍ଥ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି- ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଏବଂ ଓଡ଼ିଶାରେ ରାମରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି ।

ଓଡ଼ିଶାରେ ସରକାର ଗଢ଼ିବା ପାଇଁ ଦୃଢୋ଼କ୍ତି ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେପି ନେତା । ଏପଟେ ଉଭୟ ବିଜେଡି ଓ କଂଗ୍ରେସ, ନିଜ ନିଜ ଢ଼ଙ୍ଗରେ ବିଜେପିକୁ ଜବାବ୍ ଦେଇଛନ୍ତି । ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି-ପ୍ରାଣ ପ୍ରତିଷ୍ଠା ସମୟରେ ରାଜନୈତିକ ଲାଭ ନେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି । କିନ୍ତୁ ଏହା ବେଶୀ ଦିନ ରହିବ ନାହିଁ କି’ କୌଣସି ପ୍ରଭାବ ପଡ଼ିବ ନାହିଁ । ଏପଟେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି- ଯେଉଁଦିନ ରାମଙ୍କ ନାଁ ନେଇ ରାଜନୀତି ହେବ, ନା’ ଧର୍ମ ରହିବ ନା’ ରାଜନୀତି ରହିବ ।

ଆଗକୁ ହୁଏତ. ଏଭଳି ବୟାନବାଜୀ ଆହୁରୀ ବଢ଼ିବ, କାରଣ ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଆସୁଛି । ଜନମତକୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳର ନେତାମାନେ ଦଳକୁ ସୁହାଇଲା ଭଳି କଥା କହିବେ । କିନ୍ତୁ ଦେଖିବାର କଥା ଜନତା କାହାକୁ ଗୁରୁତ୍ୱ ଦେଉଛନ୍ତି ।