ନବୀନଙ୍କ ବୟସକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ ! ଶାହା କହିଥିଲେ, ବୟସ କାରଣରୁ ୧୨୦ର ହିସାବ ପାଉ ନାହାଁନ୍ତି ନବୀନ

21

କନକ ବ୍ୟୁରୋ : ମିଶନ୍ ଓଡ଼ିଶା, ବିଜେପିର ଟାର୍ଗେଟରେ ୧୨୦ ପ୍ଲସ୍ ଆସନ । ଆଉ ଏହି ଅଙ୍କ ବୁଝିବାକୁ ନବୀନ ବାବୁ ସକ୍ଷମ ନୁହଁନ୍ତି ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । କାରଣ ବୟସ-ବୟସରେ ତଫାତ୍ ବୋଲି କଟାକ୍ଷ କରିଛନ୍ତି । ଆଉ ଅମିତ ଶାହାଙ୍କ ଏହି ମନସ୍ତାତ୍ତ୍ୱିକ କୌଶଳ ଆପଣାଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟସକୁ ଆକ୍ଷେପ କରି କହିଛନ୍ତି-ବୃଦ୍ଧ ବୟସରେ କରୁଛନ୍ତି ବାଲ୍ୟଲୀଳା । ଜବାବରେ ନବୀନ କହିଛନ୍ତି- କାହିଁକି ବୟସକୁ ନେଇ ସନ୍ଦେହ ରହୁଛି ।

୧୨୦ ସିଟର ନାରା ଏବଂ ବିକଳ୍ପ ଯୁବ ନେତୃତ୍ୱର ଆହ୍ୱାନ ଭିତରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି । ବୟସ କାରଣରୁ କିଛି ଲୋକ ଏହି ଅଙ୍କ ବୁଝିବାରେ ସକ୍ଷମ ନୁହଁନ୍ତି ବୋଲି କହିବା ସହ ପରୋକ୍ଷରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ନବୀନ

କ୍ରମାଗତ ଭାବରେ ନବୀନଙ୍କ ବୟସ ଏବଂ ତାଙ୍କ ବୁଝିବା ଶକ୍ତି ଉପରେ ପ୍ରଶ୍ନ ଉଠାଉଥିବା ଅମିତ ଶାହାଙ୍କ ଏହି ଷ୍ଟାଇଲକୁ ଆପଣାଇଛନ୍ତି ଓଡ଼ିଶା ବିଜେପିର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ । ସିଧାସଳଖ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି-ପର ତିଅଣରେ କୁଣିଆ ଚର୍ଚ୍ଚା କରୁଥିବା ନବୀନ ବାବୁ ବୃଦ୍ଧ ବୟସରେ ବାଲ୍ୟଲୀଳା କରୁଛନ୍ତି ।

ଆଉ ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ, ଶାସକ ବିଜେଡି ଉପରେ ଭାରତୀୟ ଜନତା ପାର୍ଟି ଏକ ମନସ୍ତାତ୍ୱିକ ଚାପ ସୃଷ୍ଟି କରିବାକୁ ଚାହୁଁଛି । ଯେଉଁଥି ପାଇଁ କେତେବେଳେ ମିଶନ ୧୨୦ର ନାରା ଦେଇ ବିଜେଡିକୁ ଦ୍ୱନ୍ଦରେ ପକାଉଛି, ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଉଛି ପ୍ରଶ୍ନ ।