କନକ ବ୍ୟୁରୋ: ପୁରୀ ବିଜେପିକୁ ବଡ଼ ଝଟକା । ‘ପଦ୍ମ’ ଶିବିରକୁ ବାଏ ବାଏ କଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା । ଦଳ ଅଣଦେଖା ଓ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି କୃଷ୍ଣ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା କହିଛନ୍ତି । କୃଷ୍ଣଙ୍କ କହିବା ମୁତାବକ, ପୁରୀ ବିଧାନସଭା ପାଇଁ ଦଳ ମୋତେ ଚଳିତଥର ପ୍ରାର୍ଥୀ କରିବାକୁ ଲିଖିତ ନିର୍ଦ୍ଦେଶ ଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ଚଞ୍ଚକତା କରି ମୋ ପ୍ରାର୍ଥୀପତ୍ରକୁ ନାକଚ କରି ଅନ୍ୟଦଳର ନେତାଙ୍କୁ ପ୍ରାର୍ଥୀ କରାଗଲା ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି କୃଷ୍ଣ ।

Advertisment

ଏପରିକି ଦୀର୍ଘ ୧୬ ବର୍ଷ ଧରି ଦଳ ପାଇଁ ଦିନରାତି ଏକ କରି କାର୍ଯ୍ୟ କରୁଆସୁଥିଲେ ମଧ୍ୟ ଚଳିତ ନିର୍ବାଚନରେ ମୋ ପ୍ରାର୍ଥୀ ପତ୍ରକୁ ରାଜ୍ୟ ନେତୃତ୍ୱ ଯେଉଁଭଳି ମୋ ସହିତ ଛଳନା କରିଛନ୍ତି ତାହା ମୋତେ ମର୍ମାହତ କରିଛି ବୋଲି ଇସ୍ତଫା ପତ୍ରରେ କହିଛନ୍ତି କୃଷ୍ଣ । ଏହାମଧ୍ୟ ମୋ ସହିତ କାର୍ଯ୍ୟକରୁଥିବା ହଜାର ହଜାର କାର୍ଯ୍ୟକର୍ତ୍ତାମାନଙ୍କୁ ଏହା ବ୍ୟଥୀତ କରିଛି । ତେଣୁ ଆମେ ଦଳରୁ ସମୂହ ଇସ୍ତଫା ଦେଇଛୁ ।

ସେପଟେ ଏହି ବିଧାନସଭା କ୍ଷେତ୍ର ପାଇଁ ବିଜେପି ଜୟନ୍ତ ଷଡ଼ଙ୍ଗୀଙ୍କୁ ଟିକେଟ୍ ଦେବାରୁ ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି କୃଷ୍ଣ । ଏପରିକି ଇସ୍ତଫା ପତ୍ରରେ ଦଳର ଆଭିମୂଖ୍ୟ ଓ ଆଦର୍ଶକୁ ନେଇ ବିଷୋଦଗାର କରିଛନ୍ତି କୃଷ୍ଣ । ତେବେ ଆଗାମୀ ୨୩ ତାରିଖରେ ଏହି ବିଧାନସଭା କ୍ଷେତ୍ରରେ ମତଦାନ ହେବାକୁଥିବାବେଳେ କୃଷ୍ଣଙ୍କ ଇସ୍ତଫା ଦଳ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି ।