ଦୁର୍ନୀତି ବିରୋଧରେ ବିଜେପିର ବିକ୍ଷୋଭ: ଭୁବନେଶ୍ୱରରେ ଗୋବର ମାରି ପ୍ରତିବାଦ

41

କନକ ବ୍ୟୁରୋ: ଦୁର୍ନୀତି ପ୍ରତିବାଦରେ ବିଜେପି ସାରା ରାଜ୍ୟରେ ପ୍ରତିବାଦ କରିଛି । ଭୁବନେଶ୍ୱର ଜିଲ୍ଲା ବିଜେପି ନେତା ଓ କର୍ମୀ ମାନେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ବେଳେ ପୁଲିସ ଉପରକୁ ଗୋବର ମାଡ ହୋଇଛି । ବିଜେପି ନେତା ଓ କର୍ମୀ ଶୋଭାଯାତ୍ରାରେ ଆସି ଭୁବନେଶ୍ୱର ମହାନଗର ଅଫିସ ଆଗରେ ଅଳିଆ ଢ଼ାଳି ପ୍ରତିବାଦ କରିଥିଲେ । ଆଉ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ସେମାନେ ଗୋବର ମାଡ କରିଛନ୍ତି ।

ବେଶ୍ କିଛି ଦିନର ନୀରବତା ପରେ ପୁଣି ଥରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି ଭାରତୀୟ ଜନତା ପାର୍ଟି । ଦଳର ଡାକରା ଅନୁସାରେ ରାଜ୍ୟବ୍ୟାପି ଆନ୍ଦୋଳନ କରିଛି ରାଜ୍ୟ ବିଜେପି । ଭୁବନେଶ୍ୱର ଜିଲ୍ଲା ବିଜେପି ନେତା ଓ କର୍ମୀ ମାନେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ବିଜେପି ନେତା ଓ କର୍ମୀ ଶୋଭାଯାତ୍ରାରେ ଆସି , ବିଏମସି ଅଫିସ ଆଗରେ ଅଳିଆ ଢ଼ାଳି ପ୍ରତିବାଦ ଜଣାଇଛନ୍ତି । ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ସେମାନେ ଗୋବର ମାଡ କରିଛନ୍ତି । ତେବେ ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ କହି ସମାଲୋଚନା କରିଛନ୍ତି ଭୁବନେଶ୍ୱର ମେୟର ।

କଟକରେ ରାଜ୍ୟ ବିଜେପି ସଭାପତିଙ୍କ ନେତୃତ୍ୱରେ ପ୍ରତିବାଦକୁ ଓହ୍ଲାଇଛି ଦଳ । କଟକ ସଦର ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ କରିଛନ୍ତି ବିଜେପି ନେତା ଓ କର୍ମୀ । ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାର ଓ ବ୍ୟଭିଚାର ବଢ଼ି ଚାଲିଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା । ଏପରିକି ଓଡିଶାରେ ବର୍ଷକୁ ୧ଲକ୍ଷ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ରାଜ୍ୟ ବିଜେପି ।

ସୁନ୍ଦରଗଡରେ ମଧ୍ୟ ବିଜେପି ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଛି । ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ଶତାଧିକ ବିଜେପି ନେତା ଓ କର୍ମୀ ବିକ୍ଷୋଭ କରିଛନ୍ତି । ରାଜ୍ୟ ସରକାରଙ୍କୁ ଦୁର୍ନୀତି ଗ୍ରସ୍ତ ସରକାର କହି କଟାକ୍ଷ କରିଛନ୍ତି ବିଧାୟିକା ।

ରାଜ୍ୟରେ ଦୁର୍ନୀତି ବଢ଼ୁଥିବା ଅଭିଯୋଗ ଆଣି ସାରାରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ବିଜେପି । ଏହି ଆନ୍ଦୋଳନ ଆଜିଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା କରିଛି ଦଳ ।