ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପିର ପଦଯାତ୍ରା । ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଧାନସଭା ଘେରାଉ କଲା ବିଜେପି ।

84

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ପ୍ରତିବାଦକୁ ଜୋରଦାର କଲା ବିଜେପି । ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିି କରି ଏକ ରାଲି କରିଛି ଦଳ । ବିଧାନସଭା ଘେରାଉ କରିବା ଉଦ୍ଦେଶ୍ୟରେ ବିଜେପି ନେତା ଓ କର୍ମୀମାନେ ପଦଯାତ୍ରା କରି ଦଳୀୟ କାର୍ଯ୍ୟାଳୟରୁ ବାହାରିଥିଲେ । ଏହାପରେ ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମାହାଙ୍ଗର ପୂର୍ବତନ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଥିବା ଦଳ ଅଭିଯୋଗ କରିଛି । ଏହି ଘଟଣାରେ ହୋଇଥିବା ଏଫଆଇଆରରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ୧୩ ନମ୍ବର ଅଭିଯୁକ୍ତ ଦର୍ଶାଯାଇଥିବାବେଳେ ତାଙ୍କ ବିରୋଧରେ ସରକାର କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଦଳ କହିଛି ।

ସେହିପରି ବିଧାନସଭା ଶୂନ୍ୟ କାଳରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିିତି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଜୟନାରାୟଣ ମିଶ୍ରଙ୍କ ଗିରଫ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା । ରାଜ୍ୟର ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ଏବଂ ବିରୋଧୀଙ୍କ ପାଇଁ ଆଉ ଗୋଟିଏ ବୋଲି ସେ ଅଭିଯୋଗ କରିଛନ୍ତି ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ହୋଇଥିଲେ ସୁଦ୍ଧା ସରକାର ତାଙ୍କୁ କାହିଁକି ଗିରଫ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ରାବଣ ଓ କଂସ ଭଳି ଶାସନର ବି ଅବସାନ ହୋଇଥିଲା । ତେଣୁ ଏ ସରକାର ଭୁଲିବା କଥା ନୁହେଁ ବୋଲି ବିରୋଧୀ ଦଳ ନେତା ଅତି କଡା ଭାଷାରେ କହିଛନ୍ତି । ମନ୍ତ୍ରୀଙ୍କ ନାଁ ଏତଲାରେ ୧୩ ନମ୍ବର ଅଭିଯୁକ୍ତ ଭାବେ ରହିଥିଲେ ସୁଦ୍ଧା ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ।