କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ବିଜେପିର ରଣ ହୁଙ୍କାର । ସମ୍ବଲପୁରରେ ଆରଡ଼ିସି ଅଫିସ ଘେରାଉ କରିବ ଭାରତୀୟ ଜନତା ପାର୍ଟି । ସାରା ରାଜ୍ୟରେ ଚାଷୀଙ୍କ ଧାନ ବିକ୍ରି ପାଇଁ ବିଭିନ୍ନ ସମସ୍ୟା ଲାଗି ରହିଛି । ଚଳିତ ବର୍ଷ ମଣ୍ଡି ଖୋଲିବାଠୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି । ଟୋକନ ଅବ୍ୟବସ୍ଥା, ମିଲର କଟନି ଛଟନି, ଟୋକନ ଲେପ୍ସ ହେବା ଏବଂ ମାସ ମାସ ଧରି ଧାନ ମଣ୍ଡିରେ ପଡ଼ି ରହିବା ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ ।
ଏହାକୁ ନେଇ ପଶ୍ଚିମ ଓଡ଼ିଶା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ସମ୍ବଲପୁର ଉତରାଂଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ । ଏଥିରେ ୫ଟି ସଂସଦୀୟ କ୍ଷେତ୍ର ବା ୩୭ଟି ବିଧାନସଭା କ୍ଷେତ୍ରର ଚାଷୀଙ୍କ ସହ ବିଜେପି କର୍ମୀମାନେ ଯୋଗଦେବେ । ଏଥିପାଇଁ ଅଇଁଠାପାଲି ପିଏଚଡି ପଡ଼ିଆରେ ସାଧାରଣ ସଭାର ଅନୁଷ୍ଠିତ ହେଉଛି । ଏହାପରେ ମଧ୍ୟାହ୍ନରେ ବିଜେପି ଆରଡ଼ିସି ଅଫିସ ଘେରିବ ।