କନକ ବ୍ୟୁରୋ : ରାଫେଲ ମାମଲାରେ ଆଜି ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପିର ହଲ୍ଲାବୋଲ । ସାରା ଦେଶରେ ଆଜି ବିଜେପି ରାହୁଲ ଗାନ୍ଧିଙ୍କ ବିରୋଧରେ କରୁଛି ବିକ୍ଷୋଭ । ରାଫେଲ ମାମଲାରେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ଖାରଜ ହେବା ପରେ କଂଗ୍ରେସ ବିରୋଧରେ ଆହୁରି ଆକ୍ରମଣାତ୍ମକ ହୋଇପଡିଛି ବିଜେପି । ରାଫେଲ ମାମଲାରେ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରୁଛି ବିଜେପି । ରାହୁଲ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦଳ ଦାବି କରି ଆଜି ବିକ୍ଷୋଭ କରୁଛି । ଦିଲ୍ଲୀରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନକୁ ଜୋରଦାର କରାଯାଇଛି । ବିଜେପି କର୍ମୀ ଓ ସମର୍ଥକ ଏକ ବିରାଟ ରାଲିରେ ବାହାରି ରାହୁଲ ଗାନ୍ଧିଙ୍କ ବିରୋଧରେ ନାରାବାଜି କରିଥିବାର ଦେଖିବାକୁ ମିଳିଛି । ଏହି ସମୟରେ ଏକ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି ଆନ୍ଦୋଳନକାରୀ ।
ସେପଟେ ମହରାଷ୍ଟ୍ରରେ ବିଜେପି ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି । ସେହିପରି କୋଲକାତାରେ ବି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାହୁଲ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା ଦାବି କରିବା ସହ ତାଙ୍କ କୁଶପୁତଳିକା ଦାହ କରାଯାଇଛି । ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ରାଫେଲ ବିମାନ ପ୍ରସଙ୍ଗରେ ଦୁିର୍ନତୀ ଅଭିଯୋଗ ଆଣି ବିଜେପି ବିରୋଧରେ ବର୍ଷିଥିଲା । ସୁପ୍ରିମକୋର୍ଟରେ ଯାଂଚ ଆବେଦନ ଖାରଜ ହେବା ପରେ ରାହୁଲ ଗାନ୍ଧି ଚୌକିଦାର ଚୌର ହୈ ନାରା ଦେଇଥିଲେ । ଲୋକସଭା ନିର୍ବାଚନ ପରେ ବି ବିଜେପି କଂଗ୍ରେସ ସାମ୍ନାସାମ୍ନି ହୋଇଛନ୍ତି ।