ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିଜେପିର ପ୍ରତିବାଦ ଜାରି । ଭୁବନେଶ୍ୱର କ୍ୟାପିଟାଲ ଥାନା ଘେରାଉ କଲା ଦଳ 

82

କନକ ବ୍ୟୁରୋ : ଦିନକୁ ଦିନ ତେଜୁଛି ମମିତା ହତ୍ୟା ମାମଲା । ମମିତା ହତ୍ୟାକାଣ୍ଡ ମାମଲାରେ ବିଜେପିର ପ୍ରତିବାଦ ଜାରି ରହିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ଦଳ । ଆଜି ଦଳ ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ ଥାନା ଘେରାଉ କରାଯାଇଛି । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏଥିରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇ ମମିତାଙ୍କ ପରିବାରକୁ ନ୍ୟାୟ ଦାବି କରିଛନ୍ତି । ଏହା ପରେ ମନ୍ତ୍ରୀଙ୍କ ବିରୋଧରେ କ୍ୟାପିଟାଲ ଥାନରେ ଏତଲା ଦିଆଯାଇଛି । ପୁରା ମାମାଲରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଓ ଗିରଫ ଦାବି କରୁଛି ଦଳ ।

ସେପଟେ ବିଜେଡି ମଧ୍ୟ ଝରନିରେ ପହଂଚି ପଡୋଶୀ ଘରେ ଥିବା ମମିତାଙ୍କ ଭାଇ ବଂଟି ମେହେରଙ୍କୁ ଭେଟି ଆଲୋଚନା କରିଛନ୍ତି । ମମିତାଙ୍କ ବାପାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ବିଜେଡି ନେତା ।