ବିଭିନ୍ନ ସମସ୍ୟାକୁ ବିଜେପିର ସାମ୍ବାଦିକ ସମ୍ମିଳନୀ । ଦଳିୟ କର୍ମୀଙ୍କ ପରି ପ୍ରଶାସନିକ ଅଧିକାରୀମାନେ କାମ କରୁଥିବା ଅଭିଯୋଗ ଆଣିଲା ବିଜେପି

256

କନକ ବ୍ୟୁରୋ: ସାମୂଦ୍ରିକ ଝଡ ଫୋନିରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଏବଂ ବ୍ରହ୍ମଗିରି । ତେବେ ନିୟମ ଅନୁସାରେ କ୍ଷତିପୂରଣ ବଂଟନ ବେଳେ ସ୍ଥାନୀୟ ବିଧାୟକଙ୍କ ସାମିଲ କରାଯିବା କଥା କିନ୍ତୁ ପ୍ରଶାସନ ପକ୍ଷକୁ ଏହାକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିବା ଅଭିଯୋଗ ଆଣିଛି ବିଜେପି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପୁଣି ରାଜ୍ୟସରକାରଙ୍କୁ କାଠଗଡାକୁ ଟାଣିଛି ଭାରତୀୟ ଜନତା ଦଳ । ପୁରୀ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଆଣିଛନ୍ତି ଏଭଳି ସଙ୍ଗୀନ ଅଭିଯୋଗ । ବିଧାୟକଙ୍କ କହିବା ଅନୁସାରେ, କେବଳ ଦଳିୟ ଭିତ୍ତିରେ ଜିଲ୍ଲା ପ୍ରଶାସନ ଫୋନି କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ଚୟନ କରୁଛନ୍ତି । ତେବେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ହୀନମାନସିକତା ଯୋଗୁଁ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ । ତାଲିକାରେ ନାଁ ଥାଇ ମଧ୍ୟ କିଛି ହିତାଧିକାରୀ ସରକାରୀ ସହାୟତାରୁ ବଂଚିତ ହେଉଛନ୍ତି ଏବଂ ହିତାଧିକାରୀଙ୍କ ତାଲିକା ମାଗିବା ସତ୍ୱେ ବି ବିଧାୟକଙ୍କୁ ଦିଆଯାଉନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଧାୟକ ।

ଖାଲି କ୍ଷତିପୂରଣ ବଂଟନ ନୁହେଁ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଯଥା ଭତ୍ତା ବଂଟନ ଇତ୍ୟାଦିରେ ବି ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛି ବିଜେପି । ଏପରିକି ତଥ୍ୟ ମଧ୍ୟ ବିଧାୟକଙ୍କୁ ଦିଆଯାଉ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଏହି ଦୁଇ ବିଜେପି ବିଧାୟକ । ତେବେ ବିଜେପି ବିଧାୟକ ଆହୁରୀ ମଧ୍ୟ କହିଛନ୍ତି କି, କେବଳ ଶାସକ ଦଳର କର୍ମକର୍ତ୍ତାଙ୍କୁ ନେଇ କାର୍ଯ୍ୟକ୍ରମ କରୁଛନ୍ତି ପ୍ରଶାସନିକ ଅଧିକାରୀମାନେ । ଏପରିକି ବିରୋଧୀ ବୋଲି ଆମକୁ ବାରଣ କରାଯାଉଛି ଏବଂ ପ୍ରଶାସନର କର୍ମଚାରୀମାନେ ମଧ୍ୟ ଦଳିୟ କର୍ମୀଙ୍କ ପରି କାମ କରୁଥିବା ଅଭିଯୋଗ ଆଣିଛନ୍ତି ପୁରୀ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।